କରୋନା ସଂକ୍ରମଣ ସମୟରେ ଭୁଲି ଗଲେ ସାମାଜିକ ଦୂରତା । ରାଉରକେଲାରେ ଶବ ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ଜନସମୂଦ୍ର , ପ୍ରଶ୍ନ ଉଠିଲା ନିୟମ ଉଂଲଘନ ବେଳେ କୁଆଡେ ଗଲା ପୁଲିସ

410

କନକ ବ୍ୟୁରୋ : ଷ୍ଟିଲ୍ ସିଟି ରାଉରକେଲାର ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେତେବେଳେ କରୋନା ମହାମାରୀ ତାର କାୟା ମେଲି ଚାଲିଛି, ଏବଂ ଓଡିଶାରେ ପ୍ରତ୍ୟେକ ଦିନ ଶହେ କିମ୍ବା ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି , ସେତେବେଳେ ରାଉରକେଲାରେ ହଜାର ହଜାର ଲୋକ ଶବ ଶୋଭାଯାତ୍ରାରେ ବାହାରିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୧୮ ଜଣ କରୋନା ପଜିଟିଭ୍ ଚହ୍ନଟ ହୋଇ ସାରିଥିବାବେଳେ କେମିତି ଏମାନେ ମହାମାରୀର ଗମ୍ଭୀରତାକୁ ବୁଝି ପାରୁନାହାଁନ୍ତି, ତାହା ଜଣାପଡୁ ନାହିଁ । ଗତ ୮ ତାରିଖ ସନ୍ଧ୍ୟାରେ ଏହି ଶୋଭାଯାତ୍ରା ବାହାରିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବଡ ସହରରେ ହଜାର ହଜାର ଲୋକ କେନ୍ଦ୍ର ଗୃହମନ୍ତ୍ରାଳୟର ନିୟମକୁ ବେଖାତିର କରି ଶୋଭାଯାତ୍ରାରେ ବାହାରିଥିଲେ ମଧ୍ୟ ଏହି ଘଟଣା ଚାପି ହୋଇ ରହିଯାଇଥିଲା ।

ଗତ ଜୁନ୍ ୭ ତାରିଖ ସନ୍ଧ୍ୟାରେ ରାଉରକେଲା ନାଲାରୋଡର ଜଣେ ବ୍ୟକ୍ତିଙ୍କୁ ରେଲୱେ କଲୋନୀରେ ମରଣାନ୍ତକ ଆକ୍ରମଣ କରାଗଲା । ଏହାପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଗଲା । ଘଟଣା ପ୍ରଘଟ ହୋଇଯିବା ପରେ ନାଲାରୋଡରେ ଲୋକେ ଏକାଠି ହେବାରେ ଲାଗିଲେ, ଏବଂ ପରଦିନ ୮ ତାରିଖ ସନ୍ଧ୍ୟାରେ ଶୋଭାଯାତ୍ରା ବାହାରିଲା । ଏହି ଶୋଭାଯାତ୍ରା ମେନରୋଡ୍ ମାର୍କେଟ ଦେଇ ପ୍ଲାଂଟ ସାଇଟ୍ ଥାନା ଆଗରେ ଚାଲିଲା । ସେତେବେଳେ ପୋଲିସ କର୍ମଚାରୀମାନେ ପ୍ଲାଂଟ ସାଇଟ୍ ଥାନାକୁ ସୁରକ୍ଷିତ ରଖିବା ପାଇଁ କଡା ପହରା ଦେଇଥିଲେ । କୁହାଯାଉଛି ୩ଶହରୁ ଅଧିକ ପୋଲିସ କର୍ମଚାରୀ ପ୍ଲାଂଟ ସାଇଟ୍ ଥାନାକୁ ଜଗି ରହିଥିଲେ । ଏବଂ ଏହି ଶୋଭାଯାତ୍ରା ଥାନା ଅତିକ୍ରମ କରି ମହତାବ ରୋଡ୍ ଦେଇ କବରିସ୍ଥାନକୁ ଯାଇଥିଲା । ଅର୍ଥାତ ନାଲାରୋଡ୍ ଚାରିପଟେ ବୁଲିଥିଲା ଶୋଭାଯାତ୍ରା ।

ବେଶ୍ କିଛି ଦିନ ହେଲା ନାଲାରୋଡର କିଛି ଲୋକ ଏବଂ ପୋଲିସ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ମେ ୨୬ ତାରିଖରେ କଂଟେନମେଂଟ ଜୋନକୁ ବିରୋଧ କରି ନାଲାରୋଡର କିଛି ଲୋକ ଲଙ୍କା କାଣ୍ଡ ଘଟାଇଥିଲେ । ଭଙ୍ଗାରୁଜା କରିଥିଲେ ଓ ପୋଲିସ ଉପରକୁ ପଥର ବି ଫୋପାଡିଥିଲେ । ଏହାର କିଛି ଦିନ ପରେ ପୋଲିସ ୩୦ରୁ ଅଧିକ ଜଣଙ୍କୁ ଗିରଫ କରିଥିଲା । ଏବଂ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଥିଲା ।

ସବୁଠାରୁ ବଡ କଥା ହେଉଛି , ଯେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ସଂକ୍ରମଣ ରୋକିବା ପାଇଁ ମହାମାରୀ ଆଇନରେ ଶାସନ ଚାଲିଛି, ସେତେବେଳେ ସମସ୍ତଙ୍କ ସାମନାରେ ଓ ପୋଲିସର ନାକତଳେ ହଜାର ହଜାର ଲୋକ ଶବ ଶୋଭାଯାତ୍ରାରେ ବାହାରିଛନ୍ତି । ଆଉ ଏହି ଘଟଣା ଜିଲ୍ଲା ପୋଲିସ ପ୍ରଶାସନ ଉପରେ ଏକ ବଡ ପ୍ରଶ୍ନ ଠିଆ କରିଦେଇଛି । ଯେ ପୋଲିସ କଣ କରୁଥିଲା, ଏବଂ ଏଠାରେ ଆଇନର ଶାସନ ଚାଲିଛି ନା ନାହିଁ ।