ଦିଲ୍ଲୀପ-ସାରଦା ଭେଟଘାଟକୁ ନେଇ ରୋଚକ ସ୍ଥିତିରେ ରାଉରକେଲା ରାଜନୀତି । କୁଆଡେ ଢଳିବ ଦିଲ୍ଲୀପଙ୍କ ଭୋଟବ୍ୟାଙ୍କ, ବଢିଲା ଚର୍ଚ୍ଚା ।

438

କନକ ବ୍ୟୁରୋ : ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର । ରାଜନୀତିରେ ସବୁକିଛି ସମ୍ଭବ । ଯାହାର ଝଲକ ଆଜି ରାଉରକେଲାରେ ଦେଖିବାକୁ ମିଳିଛି । ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଓ ସାରଦା ନାୟକଙ୍କୁ ଏକାଠି ଦେଖିବାକୁ ମିଳିଛି । ପୂର୍ବରୁ ପରସ୍ପର ବିରୋଧରେ ଲଢୁଥିବା ଏହି ଦୁଇ ନେତାଙ୍କୁ ଏକାଠି ଦେଖିବା ପରେ ରୋଚକ ହୋଇଛି ରାଉରକେଲା ରାଜନୀତି । ଦିଲ୍ଲୀପ ବିଜେପି ଛାଡିବା ପରେ କୌଣସି କ୍ୟାମ୍ପରେ ଯୋଗ ଦେଇନଥିବା ବେଳେ ସାରଦାଙ୍କୁ ବିଜେଡି ରାଉରକେଲାରୁ ବିଧାୟକ ପ୍ରାର୍ଥୀ କରିଛି । ତେଣୁ ଉଭୟଙ୍କ ଭେଟଘାଟ ରାଉରକେଲା ରାଜନୀତିକୁ ଉଷ୍ମ କରିଛି । ଏପରିକି ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ କବାଟକିଳା ଆଲୋଚନା ରାଉରକେଲା ରାଜନୀତିକୁ ଏକ ନୂଆ ମୋଡରେ ଆଣି ଛିଡା କରିଛି ।

ସାରଦାଙ୍କ ପୂର୍ବରୁ ବିଜେଡିର ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ସୁବ୍ରତ ତରାଇ ମଧ୍ୟ ଦିଲ୍ଲୀପଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି । ଦିଲ୍ଲୀପ କେଉଁ ଦଳରୁ ଲଢୁନଥିବାରୁ ଏବଂ ରାଉରକେଲାର ବିକାଶ ପାଇର୍ ସର୍ବଦା ଚେଷ୍ଟା କରୁଥିବାରୁ ତାଙ୍କ ସମର୍ଥନ ଲୋଡିଛନ୍ତି ସୁବ୍ରତ । କେବଳ ସୁବ୍ରତ ନୁହଁନ୍ତି ସୁନ୍ଦରଗଡର ବିଜେଡି ସାଂସଦ ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ମଧ୍ୟ ଆଜି ଦିଲ୍ଲୀପଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ଗୋଟିଏ ଦିନରେ ବିଜେଡିର ଦୁଇ ବିଧାୟକ ପ୍ରାର୍ଥୀ ଓ ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଦିଲ୍ଲୀପଙ୍କୁ ଭେଟିବା ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିଛି । ଏପରିକି ଦିଲ୍ଲୀପଙ୍କ ବୟାନ ମଧ୍ୟ ରାଉରକେଲା ରାଜନୀତିକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡି ନେତାଙ୍କୁ ଭେଟିବା ପୂର୍ବରୁ ବଡ ବୟାନ ଦେଇଥିଲେ ଦିଲ୍ଲୀପ । ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପରସ୍ପେଶିଆଲିଟି ହସ୍ପିଟାଲ କରିବାକୁ ପ୍ରତିଶ୍ରୁତି ଦେଇ, ପାଳନ କରିନଥିବା ଦଳକୁ ଭୋଟ୍ ନଦେବାକୁ ସିଧାସଳଖ ଆହ୍ୱାନ ଦେଇଛନ୍ତି ଦିଲ୍ଲୀପ । ଆଉ ଏଭଳି କହି ଦିଲ୍ଲୀପ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଥିଲେ ।

ବିଜେପିରୁ ଇସ୍ତଫା ଦେବା ପରେ ୨୦୧୯ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବାକୁ ସିଧାସିଧା ମନା କରିଥିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ତେବେ ଇସ୍ତଫା ପରେ ଦିଲ୍ଲୀପଙ୍କ ଆଭିମୁଖ୍ୟ କଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କାରଣ ଦିଲ୍ଲୀପଙ୍କ ଭୋଟବ୍ୟାଙ୍କ କୁଆଡେ ଯିବ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । ପୂର୍ବରୁ ଦିଲ୍ଲୀପଙ୍କ ଭୋଟବ୍ୟାଙ୍କ ରାଉରକେଲା ରାଜନୀତିରେ ବଡ ପ୍ରଭାବ ପକାଇଥିବାର ନଜିର ରହିଛି । ଯାହାର ଝଲକ ୨୦୧୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଦିଲ୍ଲୀପ ଇସ୍ତଫା ଦେବା ପରେ ଏହି ଭୋଟ କେଉଁ ଶିବିର ଆଡକୁ ଢଳିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କାରଣ ଦିଲ୍ଲୀପଙ୍କ ଭୋଟବ୍ୟାଙ୍କ ଯେଉଁ ଶିବିର ଆଡକୁ ଢଳିବ ସେହି ଶିବିରର ବିଜୟ ଆହୁରି ସହଜ ହୋଇଯିବ ।

ଯେଉଁଥିପାଇଁ ଦିଲ୍ଲୀପ ଇସ୍ତଫା ଦେବା ପରେ ମଧ୍ୟ ବିଜେପି ପକ୍ଷରୁ ତାଙ୍କୁ ପୁଣିଥରେ ଦଳରେ ସାମିଲ କରିବାକୁ ପ୍ରୟାସ କରାଯାଇଥିବା ବେଳେ ବିଜେଡିକୁ ପୁଣିଥରେ ଦିଲ୍ଲୀପଙ୍କ ଘରବାହୁଡା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କାରଣ ଦିଲ୍ଲୀପଙ୍କୁ ନିଜ ଦଳରେ ନେଇ ବିଜୟକୁ ସହଜ କରିବାକୁ ଚାହୁଁଥିଲେ ବିଜେଡି-ବିଜେପି । କିନ୍ତୁ ଦିଲ୍ଲୀପ କେଉଁ ଦଳକୁ ଯାଇନଥିଲେ ମଧ୍ୟ ରାଉରକେଲାବାସୀଙ୍କ ପାଇଁ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । ଆଉ ଏହାସହ ଯେଉଁ ଦଳ କିମ୍ବା ନେତା ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପରସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ଲଢେଇ ପାଇଁ କାମ କରିବ ତାହାକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ଦିଲ୍ଲୀପ ।