ଅପରାଧୀଙ୍କ ଆଡ୍ଡା ପାଲଟିଲାଣି ରାଉରକେଲା: ରାତି ୧୦ଟାରେ ଆରଜିଏଚ୍ ଓଭରବ୍ରିଜ ଉପରେ ସୁନା ଦୋକାନୀଙ୍କୁ କଲେ ଗୁଳି; ହତ୍ୟା କରି ଲୁଟିନେଲେ ଟଙ୍କା

ଅପରାଧ ଘଟାଇ ନିଦ୍ୱର୍ନ୍ଦ୍ୱରେ ଫେରାର ହୋଇଗଲେ ଦୁର୍ବୃତ, ଟେର ପାଉନି ପୋଲିସ

57

କନକ ବ୍ୟୁରୋ: ଅଶାନ୍ତ ହୋଇପଡିଛି ରାଉରକେଲା ସହର । ବେଧଡକ ବୁଲୁଛନ୍ତି ଲୁଟେରା, ଅପରାଧ ଘଟାଇ ନିର୍ଦନ୍ଦ୍ୱରେ ଫେରାର ହୋଇଯାଉଛନ୍ତି । ଆଉ ପୋଲିସ ସେମାନଙ୍କର ଟେର ବି ପାଉନି । ଗତକାଲି ରାତି ପ୍ରାୟ ୧୦ଟାରେ ଜନଗହଳିପୂର୍ଣ୍ଣ ଅଂଚଳ ଆରଜିଏଚ୍ ନିକଟ ଓଭରବ୍ରିଜ ଉପରେ ଜଣେ ସୁନା ଦୋକାନୀଙ୍କୁ ଗୁଳି କରି ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଦୁର୍ବୃତଙ୍କ ଗୁଳିରେ ସୁନା ଦୋକାନୀ ସରୋଜ କୁମାର ସାହୁଙ୍କ ମୃତ୍ୟୁ ହୋଇଛି । ତାଙ୍କ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା- ଆରଜିଏଚ୍ ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ- ଆଇଜିଏଚ୍ ଆଇସିୟୁରେ ଭର୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ରାତି ୧୦ଟାରେ ସରୋଜ ଦୋକାନ ବନ୍ଦ କରି ନିଜ ମୋଟରସାଇକେଲରେ ଘରକୁ ଫେରୁଥିଲେ । ଆରଜିଏଚ୍ ଓଭରବ୍ରିଜ ଚଢିବା ମାତ୍ରେ ତାଙ୍କୁ ପିଛା କରୁଥିବା ୨ଜଣ ଦୁର୍ବୃତ ବାଇକରେ ଥାଇ ୩ରୁ ଅଧିକ ରାଉଣ୍ଡ ଗୁଳିମାଡ କରିଥିଲେ । ୨ଟି ଗୁଳି ସରୋଜଙ୍କ ମୁଣ୍ଡ ଓ ପେଟରେ ବାଜିବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ଲୁଟେରାମାନେ ଟଙ୍କା ବ୍ୟାଗ ଧରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ରଘୁନାଥପାଲି ଓ ଉଦିତନଗର ପୋଲିସ ସହ ରାଉରକେଲା ଏସପି କେ ଶିବା ସୁବ୍ରମଣି ଘଟଣାସ୍ଥଳରେ ପହଂଚି ଛାନଭିନ କରିଛନ୍ତି ।

ହେଲେ ଲୁଟେରାଙ୍କୁ ନା ପୋଲିସର ଭୟ ଅଛି, ନା ଆଇନ କାନୁନର ଭୟ । ସେମାନେ ନିର୍ଭୟରେ ଓ ଅବାଧରେ ରାସ୍ତାଘାଟରେ ବୁଲୁଛନ୍ତି । ୪ଦିନ ତଳେ ସମାନଧରଣର ଗୁଳିକାଣ୍ଡ ଘଟିଥିଲା । ବେଦବ୍ୟାସ ସଂହଟୋଲା ନିକଟରେ ଲୁଟେରାମାନେ ବାଇକରେ ଯାଉଥିବା ସୁନା ଦୋକାନୀଙ୍କ ଉପରକୁ ଗୁଳିମାଡ କରିଥିଲେ । ହେଲେ ତାଙ୍କ ଦେହରେ ନବାଜି ବାଇକ ପଛରେ ବସିଥିବା ତାଙ୍କ ମାଆଙ୍କ ଦେହରେ ଗୁଳି ବାଜିଥିଲା ।