ଚାକିରୀ କରାଇ ଦେବା ନାଁରେ ଠକେଇ । ଏଲଆଣ୍ଡଟି ଅଧିକାରୀ କହି ଶହଶହ ଆଦିବାସୀ ଯୁବକଯୁବତୀଙ୍କଠାରୁ ୨ ରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା ନିଆଯାଇଥିବା ଅଭିଯୋଗ

253

କନକ ବ୍ୟୁରୋ : ରାଉରକେଲାରା ଚାକିରୀ କରାଇଦେବା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗ । ନିଜକୁ ଏଲଆଣ୍ଡଟି କମ୍ପାନୀର ଅଧିକାରୀ ପରିଚୟ ଦେଇ ତ କେତେବେଳେ ନିଜକୁ ଆରଏସପି ଅଧିକାରୀ କହି ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲା ଅଂଚଳର ଶହ ଶହ ଆଦିବାସୀ ଯୁବକ ଯୁବତୀଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛେଣ୍ଡ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ ଯୁବତୀ । ଛେଣ୍ଡ୍ ଅଂଚଳର ଚିନ୍ମୟ ଓରଫ୍ ଦେବାଶିଷ ସାମନ୍ତରାୟ ନାମକ ଜଣେ ଯୁବକ ନାଁରେ ଆସିଛି ଏହି ଠକେଇ ଅଭିଯୋଗ ।

ରାଉରକେଲା ଆରଏସପିରେ ବିଭିନ୍ନ ପଦବୀରେ ଚାକିରୀ କରାଇଦେବାକୁ କହି ପ୍ରଲୋଭନ ଦେଖାଇ ଜଣ ପିଛା ୨ ହଜାରରୁ ୫୦ ହଜାର ଟଙ୍କା ଆଦାୟ କରିଛି ଯୁବକ । ଏମିତିରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଧରାଛୁଆଁ ଦେଉନି ଦଲାଲ । ଏପଟେ ଦଲାଲକୁ ଟଙ୍କା ଦେଇ ଚାକିରୀ ଅପେକ୍ଷାରେ ରହିଛନ୍ତି ଆଦିବାସୀ ଯୁବକ ଯୁବତୀ । ତାଲାବନ୍ଦ ସମୟରେ ଚାକିରୀ କରାଇଦେବା ନାଁରେ ଠକ ଯୁବକ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଫେରାର ହୋଇଛି । ଏନେଇ ଥାନାରେ ଏତଲା ପରେ ବି ପୋଲିସ କୌଣସି ପଦ କ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକ ଯୁବତୀ ।