କନକ ବ୍ୟୁରୋ : ରାଉରକେଲା ଜିଏସଟି ଠକେଇ ମାମଲାରେ ତଦନ୍ତକାରୀ ଟିମକୁ ମିଳିଛି ସଫଳତା । ବହୁକୋଟି ଟଙ୍କା ଠକେଇ ମାମଲାରେ ଜଣକୁ ଗିରଫ କରିଛି କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀ ଅଂଚଳର ସନ୍ତୋଷ କୁମାର ଗୁପ୍ତା । ୨୬୨ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ତାଙ୍କର ସଂପୃକ୍ତି ଥିବା ଜଣାପଡିଛି ।
ସନ୍ତୋଷ ନକଲି ବ୍ୟବସାୟିକ ସଂସ୍ଥା, ଜାଲି ଜିଏସଟି ନଂବର, ଜାଲ ଇନଭଏସ ଓ ଜାଲ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ୨୬୨ କୋଟିର କାରବାର ଦର୍ଶାଇ ଇନପୁଟ୍ ଟାକ୍ସ ବାବଦକୁ ୪୦ କୋଟି ୬୬ ଲକ୍ଷ ଟଙ୍କା ହଡପ୍ କରିଥିବା ଜଣାପଡିଛି । ସନ୍ତୋଷଙ୍କୁ ଗିରଫ ପରେ ରାଉରକେଲା ଏସଡିଜେଏମ କୋର୍ଟରେ ହାଜର କରାଯାଇ ୧୪ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ଟିମ୍ । ବର୍ତମାନ ସୁଦ୍ଧା ରାଉରକେଲା ବହୁ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ୯ ଜଣଙ୍କୁ ଗିରଫ କରାଗଲାଣି ।