ଡାକ୍ତର ଏସ ସୁଲେମାନ ଟିକା ନେବା ପରେ ପଜିଟିଭ୍ ରିପୋର୍ଟ ପ୍ରସଙ୍ଗ । ଡାକ୍ତରଙ୍କ ମୂଳ ରିପୋର୍ଟ ନେଗେଟିଭ୍ ବୋଲି ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ ।

131

କନକ ବ୍ୟୁରୋ: ରାଉରକେଲାରେ ଡାକ୍ତର ଏସ୍ ସୁଲେମାନ୍ ଟିକା ନେବା ପରେ କରୋନା ପଜିଟିଭ୍ ଆସିବା ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିଛି । ତାଙ୍କର ପ୍ରଥମ ଓ ଦ୍ୱିତୀୟ ରିପୋର୍ଟ କରୋନା ନେଗେଟିଭ୍ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଆଇଜିଏଚରେ ଯେଉଁ ପଜିଟିଭ୍ ରିପୋର୍ଟ ଆସିଥିଲା, ତାହା ତ୍ରୁଟିପୂର୍ଣ୍ଣ ଥିଲା । ଫଳରେ ଟିକାକୁ ନେଇ ଯେଉଁ ସଂଦେହ ସୃଷ୍ଟି ହୋଇଥିଲା, ସେଥିରେ ଆଶ୍ୱସ୍ତି ମିଳିଛି ।

ଫେବ୍ରୁଆରୀ ୩ରେ ଆଇଜିଏଚ୍ରେ ଡାକ୍ତର ଏସ୍ ସୁଲେମାନଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା ଏବଂ ଏହାର ରିପୋର୍ଟ ପଜିଟିଭ୍ ଆସିଥିଲା । ପୁଣିଥରେ ତାଙ୍କର ସ୍ୱାବ୍ ଓ ରକ୍ତ ନମୂନା ଆରଏମଆରସି ବା ରିଜିଓନାଲ ମେଡିକାଲ ରିସର୍ଚ ସେଂଟର, ଭୁବନେଶ୍ୱରକୁ ପଠାଯାଇଥିଲା । ଏହାପରେ ରକ୍ତ ନମୂନାରେ ପର୍ଯ୍ୟାପ୍ତ ପରିମାଣର କରୋନା ଆଂଟିବଡି ସୃଷ୍ଟି ହୋଇଥିବା ଜଣାପଡିଥିଲା । ଆଉ ସ୍ୱାବ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିଲା ।

ତେବେ କାହିଁକି ପ୍ରଥମ ରିପୋର୍ଟ ପଜିଟିଭ୍ ଆସିଲା, ଜାଣିବା ପାଇଁ ପ୍ରଥମ ସ୍ୱାବ ନମୁନାକୁ ପୁଣିଥରେ ଆରଏମଆରସିରେ ପରୀକ୍ଷା କରାଯାଇଥିଲା । ଏହି ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି, ଆଇଜିଏଚ୍ର ରିପୋର୍ଟ ତୃଟିପୂର୍ଣ୍ଣ ଥିଲା । ଅର୍ଥାତ ଡାକ୍ତର ସୁଲେମାନଙ୍କ ସମସ୍ତ ରିପୋର୍ଟ କରୋନା ନେଗେଟିଭ୍ । ଡାକ୍ତର ସୁଲେମାନ ଜାନୁଆରୀ ୧୬ରେ ପ୍ରଥମ ଡୋଜ୍ କରୋନା ଟିକା ନେଇଥିଲେ ଏବଂ ଫେବ୍ରୁଆରୀ ୧୫ରେ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ ।