ରାଉରକେଲା ବିଜେପି ତରଫରୁ ଦିଲ୍ଲୀପ ରାୟକୁ ବିପୁଳ ସମ୍ବର୍ଦ୍ଧନା । ଦିନେ ଦୁଇଦିନ ଭିତରେ ଦିଲ୍ଲୀପ ରାୟଙ୍କୁ ମିଳିପାରେ ଟିକେଟ !

633

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ସରିଛି ଓ ସାରା ଦେଶରେ ଏବେ ନିର୍ବାଚନ ମାହୋଲ । ଏହି କ୍ରମରେ ଏବେ ନେତାଙ୍କ ଦଳ ବଦଳ ଓ ଘର ବାହୁଡା ବେଶ ରୋଚକ ହୋଇଛି । ୨୦୧୮ ମସିହାରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ପୁଣି ବିଜେପିକୁ ଫେରିଛନ୍ତି । ବିଜେପି ନେତା ଜୁଏଲ ଓରାମଙ୍କ ଇଶାରା ମୁତାବକ ରାଉରକେଲା ବିଧାନସଭା ଆସନରୁ ଦିଲ୍ଲୀପ ରାୟଙ୍କୁ ବିଜେପି ପ୍ରାର୍ଥୀ କରିବ । ଏସବୁ କଳ୍ପନା ଜଳ୍ପନା ଭିତରେ ଦିଲ୍ଲୀରୁ ଆସି ରାଉରକେଲା ପହଂଚିଛନ୍ତି ଦିଲ୍ଲୀପ ରାୟ । ସେ ରାଉରକେଲରରେ ପହଂଚିବା ପରେ ବିଜେପି ତରଫରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଉରକେଲା ବିମାନ ବନ୍ଦରରେ ଜୁଏଲ ଓରାମ ପହଂଚିବା ପରେ ବିଜେପି ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ନିଜେ ଉପସ୍ଥିତ ରହି ଦିଲ୍ଲୀପଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରେ ଜୁଏଲ ଓ ଦିଲ୍ଲୀ ହାତ ହଲାଇ କର୍ମୀ ଓ ଅନୁଗତମାନଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି ।

ଦିଲ୍ଳୀପ ରାୟ ରାଉରକେଲା ବିମାନବନ୍ଦରରେ ପହଂଚିବା ପୂର୍ବରୁ ବିମାନବନ୍ଦର ଚାରିପଟେ ବିଜେପି ତରଫରୁ ପଦ୍ମ ପତାକା ଓ ହୋଡିଂ ବିଛାଇ ଦିଆଯାଇଥିଲା । ଏହାସହ ହଜାର ହଜାର ସମର୍ଥକ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ନିକଟରେ ଭିଡ ଲଗାଇଥିଲେ । ଦିଲ୍ଲୀପ ରାୟଙ୍କୁ ବିଜେପି ଟିକେଟ ମିଳିବା ନେଇ ଜୁଏଲ ଓରାମ ସଂକେତ ଦେବା ପରେ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଦିଲ୍ଲୀପ ରାୟ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ପଛୋଟି ନେଇଥିଲେ । ଏହା ପରେ ଏକ ବିଶାଳ ରାଲି କରି ଆଗକୁ ବଢିଥିଲେ । ଏହି ସମୟରେ ଦିଲ୍ଲୀପ ରାୟ କହିଛନ୍ତି କି, ମୁଁ ବିଜେପିରେ ଅଛି, ହେଲେ ଏଯାଏଁ ଟିକେଟ ଫାଇନାଲ ହୋଇନାହିଁ । କେବଳ ସେତିକି ନୁହେଁ ଅନୁଗତ ଓ କର୍ମୀଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ ଦିଲ୍ଲୀପ । ହେଲେ କେଉଁ କେଉଁ ମୁଦ୍ଦା ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ଏଯାଏଁ କିଛି ଯୋଜନା ପ୍ରସ୍ତୁତ ହୋଇନାହିଁ ।