ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ

195

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଜଟିଳ ରୁପ ନେଉଛି । ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କରିଛନ୍ତି ଶତାଧିକ ଆଦିବାସୀ ମହିଳା । ଜଷ୍ଟିସ ଫର ସୁସ୍ମିତା ମିଞ୍ଜ ଲେଖାଥିବା ପ୍ଲାକାର୍ଡ ଧରି ନ୍ୟାୟ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାର ୭ ଦିନ ପରେ ବି ପୋଲିସ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇ ପାରିନଥିବାରୁ ତାତିଛନ୍ତି ସ୍ଥାନୀୟ ଲୋକ । ଏଡିଏମ ଅଫିସ ଘେରାଉ କରିବା ସହ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ତଦନ୍ତରେ ଭରସା ନାହିଁ ଘଟଣାର ନିରପେକ୍ଷ ଯାଂଚ ପାଇଁ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ପୋଲିସ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ସଂପୃକ୍ତ ବଡବଡିଆଙ୍କୁ ବଂଚାଇବାକୁ ଚାପରେ ଆସି ତଦନ୍ତରେ ଢିଲା ମାରୁଥିବା ଅଭିଯୋଗ ହୋଇଛି ।

ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ପଶ୍ଚିମାଂଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ପୋଲିସ ଉପରେ ଭରସା ନଥିବା କହି ସୁସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସିବିଆଇ ତଦନ୍ତ ଦାବିରେ ସ୍ମାରକପତ୍ର ଦିଆଯାଇଛି ।

ଗତ ୧୯ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ । ରାଉରକେଲା ସ୍ମାର୍ଟସିଟି ଅଧିନ ସେନସୋରୀ ପାର୍କରେ ପୋଖରୀରୁ ଭାସମାନ ଅବସ୍ଥାରେ ମୃତଦେହ ମିଳିଥିଲା । କିଭଳି ଓ କେଉଁ ପରିସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ହେଲା ତାହା ରହସ୍ୟ ହୋଇ ରହିଯାଇଛି । ସୁସ୍ମିତା ମୃତ୍ୟୁର ପ୍ରାୟ ୫ ଘଂଟା ପୂର୍ବରୁ ରାଧିକା ରିଜେନ୍ସୀ ହୋଟେଲରୁ ବାହାରିଥିଲେ ସୁସ୍ମିତା । ସକାଳ ୮ଟା ୫୫ ମିନିଟରେ ରାଧିକା ରିଜେନ୍ସୀ ହୋଟେଲରୁ ସୁସ୍ମିତା ମିଞ୍ଜ ବାହାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପ୍ରାୟ ୫ ଘଂଟା ପରେ ଅପରାହ୍ଣ ୨ଟା ୫୦ରେ ସୁସ୍ମିତାଙ୍କ ମୃତଦେହ ଠାବ ହୋଇଥିଲା । ଯେଉଁ ପୋଷାକ ପିନ୍ଧି ସେ ହୋଟେଲରୁ ବାହାରିଥିଲେ, ତାଙ୍କ ମୃତଦେହରେ ସେହି ପୋଷାକ ରହିଥିଲା । ତେଣୁ କେହି ତାଙ୍କୁ ହତ୍ୟା କରି ପିଙ୍ଗିଦେଇଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ହେଲେ ପୋଲିସ ଆଜି ଯାଏଁ ଏତଲା ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ସୁସ୍ମିତାଙ୍କ ଭାଇ । ସେପଟେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା କଥା ପୋଷ୍ଟମର୍ଟମ ରିପୋର୍ଟରେ କେବଳ ଶ୍ୱାସରୁଦ୍ଧ ହୋଇଥିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେଣୁ ସବୁ ସମ୍ଭାବ୍ୟ ଦିଗକୁ ଆଖିରେ ରଖି ତଦନ୍ତ କରାଯାଉଛି ।

ପ୍ରଶ୍ନ ଉଠୁଛି କାହିଁକି ଓ କେଉଁ ପରିସ୍ଥିତିରେ ଜଣେ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ହେଲା ? ମୃତ୍ୟୁ ପଛରେ କେଉଁ ରହସ୍ୟ ଲୁଚି ରହିଛି? ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କାହିଁକି ବଂଚାଇବାକୁ ଚେଷ୍ଟା କରୁଛି ପୋଲିସ? ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହୋଟେଲ ରାଧିକା ରିଜେନ୍ସୀରୁ ସୁସ୍ମିତାଙ୍କୁ ଫେରାଇ ନେବାକୁ ପରିବାର ଲୋକେ ଆସି୍ଥିବା ବେଳେ ସେ କାହିଁକି ମନା କଲେ । ସୁସ୍ମିତା ମାନସିକ ଅବସାଦରେ ଥିବା ପରିବାର ଲୋକେ କହୁଛନ୍ତି, କିନ୍ତୁ କେଉଁ କଥାକୁ ନେଇ ସୁସ୍ମିତା ଅବସାଦରେ ଥିଲେ ତାହା ମଧ୍ୟ ସନ୍ଦେହରେ ରହିଛି ।