ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନରେ ମାମଲା ରୁଜୁ

117

କନକ ବ୍ୟୁରୋ : ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଲା ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲା । ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ମାମଲା ରୁଜୁ କରିଛନ୍ତି । ପୁରା ଘଟଣାର ତଦନ୍ତ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ମୃତ ସୁସ୍ମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହି ମାମଲାରେ ରାଉରକେଲା ଏସପି ଓ ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜଗାଙ୍ଗପୁର ବ୍ଲକ ରମାବାହାଲ ଗାଁର ସୁସ୍ମିତା ମିଞ୍ଜ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଗତ ୧୯ ତାରିଖରେ ସୁସ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ଘଟଣା ବରିଷ୍ଠ ଅଧିକାରୀମାନେ ସଂଶ୍ଲିଷ୍ଟ ଥିବାନେଇ ପରିବାରବର୍ଗ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ତେବେ ସୁସ୍ମିତାଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି ।

ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ଆରମ୍ଭ କରି ସାରା ରାଜ୍ୟରେ ବିଭିନ୍ନ ସଂଗଠନ ଦାବି କରୁଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ ହେଲେ ହିଁ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ଓ ଦୋଷୀ ଉଚିତ ଦଣ୍ଡ ପାଇବେ । ଏଣୁ ଏନେଇ ବିହିତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର କମିସନଙ୍କୁ ନିବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସୁସ୍ମିତା ମୃତ୍ୟୁ ପ୍ରସଙ୍ଗ ନେଇ ଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି । ଆସନ୍ତା ୩ ତାରିଖରେ ବିଶାଳ ଆନ୍ଦୋଳନ ସହ ଏସ୍‌ପି ଅଫିସ ଘେରଉ ତଥା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରିବାକୁ ଆଦିବାସୀ ନେତା ​ଜର୍ଜ ତିର୍କି ଚେତାବନୀ ଦେଇଛନ୍ତି ।