କାହିଁକି ଓ କେଉଁ ପରିସ୍ଥିତିରେ ସୁସ୍ମିତା ମିଞ୍ଜଙ୍କ ହେଲା ମୃତ୍ୟୁ ? ମୃତ୍ୟୁ ପଛରେ ଲୁଚି ରହିଛି କେଉଁ ରହସ୍ୟ ? ପୋଲିସ ଉପରେ ପ୍ରଶ୍ନ ଉଠାଇ କଲେ ସିବିଆଇ ତଦନ୍ତ ଦାବି

126

କନକ ବ୍ୟୁରୋ : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଜଟିଳ ରୁପ ନେଉଛି । ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କଲେ ଶତାଧିକ ଆଦିବାସୀ ମହିଳା । ଜଷ୍ଟିସ ଫର ସୁସ୍ମିତା ମିଞ୍ଜ ଲେଖାଥିବା ପ୍ଲାକାର୍ଡ ଧରି ନ୍ୟାୟ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାର ୭ ଦିନ ପରେ ବି ପୋଲିସ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇ ପାରିନଥିବାରୁ ତାତିଛନ୍ତି ସ୍ଥାନୀୟ ଲୋକେ ।

ଏଡିଏମ ଅଫିସ ଘେରାଉ କରିବା ସହ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ତଦନ୍ତରେ ଭରସା ନାହିଁ ଘଟଣାର ନିରପେକ୍ଷ ଯାଂଚ ପାଇଁ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ପୋଲିସ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ସଂପୃକ୍ତ ବଡବଡିଆଙ୍କୁ ବଂଚାଇବାକୁ ଚାପରେ ଆସି ତଦନ୍ତରେ ଢିଲା ମାରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ସୁସ୍ମିତାଙ୍କୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲେ ପରିବାର ଲୋକେ । କଂଗ୍ରେସ ଓ ଜିଲ୍ଲା ଆଦିବାସୀ ମଂଚ ମଧ୍ୟ ସୁସ୍ମିତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଗତ ୧୯ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ । ରାଉରକେଲା ସ୍ମାର୍ଟସିଟି ଅଧିକ ସେନସୋରୀ ପାର୍କରେ ପୋଖରୀରୁ ଭାସମାନ ଅବସ୍ଥାରେ ମିଳିଥିଲା ମୃତଦେହ । କିଭଳି ଓ କେଉଁ ପରିସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ହେଲା ତାହା ରହସ୍ୟ ହୋଇ ରହିଯାଇଛି । ମୃତ୍ୟୁର ପ୍ରାୟ ୫ ଘଂଟା ପୂର୍ବରୁ ରାଧିକା ରିଜେନ୍ସୀ ହୋଟେଲରୁ ବାହାରିଥିଲେ ସୁସ୍ମିତା । ସକାଳ ୮ଟା ୫୫ ମିନିଟରେ ରାଧିକା ରିଜେନ୍ସୀ ହୋଟେଲରୁ ସୁସ୍ମିତା ମିଞ୍ଜ ବାହାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ପ୍ରାୟ ୫ ଘଂଟା ପରେ ଅପରାହ୍ଣ ୨ଟା ୫୦ ମିନିଟରେ ସେନସୋରୀ ପାର୍କ ସ୍ଥିତ ପୋଖରୀରୁ ଭାସମାନ ଅବସ୍ଥାରେ ମିଳିଥିଲା ସୁସ୍ମିତା ମିଞ୍ଜଙ୍କ ମୃତଦେହ । ଯେଉଁ ପୋଷାକ ପିନ୍ଧି ସେ ହୋଟେଲରୁ ବାହାରିଥିଲେ, ସେହି ପୋଷାକରେ ହିଁ ତାଙ୍କର ମୃତଦେହ ମିଳିଥିଲା । ତେଣୁ ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରି ପିଙ୍ଗିଦେଇଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଏତଲା ଆଜି ଯାଏଁ ଗ୍ରହଣ କରିନାହିଁ । ଓଲଟା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ପୋଲିସ ବଂଚାଇବାକୁ ଚାପ ପକାଉଥିବା ସୁସ୍ମିତା ମିଞ୍ଜଙ୍କ ଭାଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସେପଟେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା କଥା ପୋଷ୍ଟମର୍ଟମ ରିପୋର୍ଟରେ କେବଳ ଶ୍ୱାସରୁଦ୍ଧ ହୋଇଥିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେଣୁ ସବୁ ସମ୍ଭାବ୍ୟ ଦିଗକୁ ଆଖିରେ ରଖି ତଦନ୍ତ କରାଯାଉଛି । ପ୍ରଶ୍ନ ଉଠୁଛି କାହିଁକି ଓ କେଉଁ ପରିସ୍ଥିତିରେ ଜଣେ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ହେଲା ? ମୃତ୍ୟୁ ପଛରେ କେଉଁ ରହସ୍ୟ ଲୁଚି ରହିଛି ?

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କାହିଁକି ବଞ୍ଚାଇବାକୁ ଚେଷ୍ଟା କରୁଛି ପୋଲିସ ? ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହୋଟେଲ ରିଜେନ୍ସୀରୁ ସୁସ୍ମିତାଙ୍କୁ ଫେରାଇ ନେବାକୁ ପରିବାର ଲୋକେ ଆସି୍ଥିବା ବେଳେ ସେ କାହିଁକି ମନା କଲେ । ସୁସ୍ମିତା ମାନସିକ ଅବସାଦରେ ଥିବା ପରିବାର ଲୋକେ କହୁଛନ୍ତି, କେଉଁ କଥାକୁ ନେଇ ସୁସ୍ମିତା ଅବସାଦରେ ଥିଲେ ତାହା ମଧ୍ୟ ସନ୍ଦେହରେ ରହିଛି ।