କନକ ବ୍ୟୁରୋ: ଆସନ୍ତାବର୍ଷ ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ । ପ୍ରଥମଥର ରାଉରକେଲାରେ ହକି ମହାକୁମ୍ଭ ହେଉଥିବାରୁ ସହର ଏବେ ଚଳଚଞ୍ଚଳ ହୋଇଉଠିଛି । ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଥିବା ବେଳେ ସମ୍ପ୍ରସାରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧୀକରଣ ବା ଏସଆଇଏଏ ପକ୍ଷରୁ ପରିବେଶ ମଞ୍ଜୁରୀ ମିଳିସାରିଥିବାରୁ ଆଗାମୀ ଡିସେମ୍ବର ପହିଲାରୁ ବିମାନ ଉଡ଼ାଣ ଭରିପାରେ ।
ବିମାନବନ୍ଦରର ରନୱେ ସୁଦୃଢ଼ୀକରଣ ଓ ସମ୍ପ୍ରସାରଣ, ଏଟିସି ଟାୱାର, ଟର୍ମିନାଲ ବିଲ୍ଡିଂ, ସୁରକ୍ଷାକର୍ମୀଙ୍କ ପାଇଁ ଅତିରିକ୍ତ ୟୁଟିଲିଟି ବିଲ୍ଡିଂ, ଶୌଚାଳୟ ପାର୍କିଂ ବ୍ୟବସ୍ଥା ଆଦି ନିର୍ମାଣଧୀନ ରହିଛି । ବର୍ତ୍ତମାନ ଟ୍ୟାକ୍ସୱେର ନିର୍ମାଣ ଶେଷ ହୋଇସାରିଥିବା ବେଳେ ବାକି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପକ୍ଷରେ ବିମାନବନ୍ଦର ୨-ବି ଲାଇସେନ୍ସ ପ୍ରାପ୍ତ ଥିବା ବେଳେ ଏହାକୁ ୩-ସିକୁ ରୂପାନ୍ତରିତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବିମାନବନ୍ଦର ୧୦୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଥିବା ବେଳେ ଏହାର ପରିସୀମାକୁ ୨୫୦ ଏକରକୁ ବୃଦ୍ଧି କରାଯାଇଛି । ତେବେ ବିମାନବନ୍ଦରର ମାଲିକାନାସତ୍ତ୍ୱ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ବା ‘ସେଲ’ ଅଧୀନରେ ଥିବାରୁ ନିୟମିତ ଉଡ଼ାଣ ସେବା ଅବ୍ୟାହତ ରଖିବା ପାଇଁ ଭାରତୀୟ ବିମାନ ପ୍ରାଧୀକରଣ ବା ଏଏଆଇକୁ ସମ୍ପୂର୍ଣ୍ଣ ହସ୍ତାନ୍ତର କରିବାକୁ ଦାବି ହେଉଛି । ତେବେ ଏଯାଏଁ ଆରଏସପି ଏବଂ ଏଏଆଇ ମଧ୍ୟରେ ଚୁକ୍ତିନାମା ନବୀକରଣ ହୋଇପାରିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/10-7.jpg)