ପର କରିଦେଲେ ପୁଅ, ହାରିଲାନି ମାଆ… ୮୦ ବର୍ଷରେ ବି ରାସ୍ତା କଡରେ ରାନ୍ଧୁଛନ୍ତି, ମାତ୍ର ୨୦ ଟଙ୍କାରେ ହାତ ରନ୍ଧା ଖୁଆଉଛନ୍ତି । ବାବା କା ଢାବା ପରେ ଚର୍ଚ୍ଚାରେ ରୋଟିବାଲୀ ଆମ୍ମା…

ବଞ୍ଚିବା ପାଇଁ କାହା ପାଖେ ହାତ ନପାତି ବୟସର ଅପରାହ୍ଣରେ ବି ତତଲା ତାୱାରେ ଭାଗ୍ୟକୁ ପକାଇ ଥରିଲା ହାତରେ ସ୍ନେହ, ମମତାର ରୁଟି ସେକି ଦେଉଛନ୍ତି ରୁଟିବାଲୀ ଆମ୍ମା ।

841

କନକ ବ୍ୟୁରୋ: ୨୦ ଟଙ୍କାରେ ପେଟ ପୂରା ଖାଇବା । କମ ଦାମରେ ଅତି ଶସ୍ତାରେ ଫୁଟପାଥରେ ପୂରି ଯାଉଛି ପେଟ । ତାପୁଣି ମାଆ ହାତରନ୍ଧା ପରି । ଘରୋଇ ଖାଦ୍ୟ ଭଳି ରାସ୍ତାରେ କଡରେ ରାନ୍ଧି ଲୋକଙ୍କୁ ମନଭରି ଖୁଆଉଛନ୍ତି ୮୦ ବର୍ଷୀୟ ବୃଦ୍ଧା । ରୋଟିବାଲୀ ଆମ୍ମା ନାଁରେ ବେଶ ପରିଚିତ ଭଗବାନ ଦେବୀ ଘରର ଆର୍ଥିକ ଅନଟନ ପାଇଁ ଦୀର୍ଘ ୧୫ ବର୍ଷ ହେବ ଏମିତି ରାସ୍ତା କଡରେ ଖାଦ୍ୟ ଦେଉଛନ୍ତି ଆଉ ସଙ୍ଘର୍ଷ ଭିତରେ ସଂସାର ଚଳାଉଛନ୍ତି ।

ଉତ୍ତର ପ୍ରଦେଶ ଆଗ୍ରା ସ୍ଥିତ ସେଂଟ ଜନ କଲେଜ ନିକଟରେ ଏକ ପାଲ ଟାଣି ରାସ୍ତା କଡରେ ଖାଦ୍ୟ ବିକୁଛନ୍ତି ବୁଢମାଉସୀ । ମାଟି ଚୁଲିରେ ଗରମା ଗରମ ରୁଟି ସହ ଭାତ, ଡାଲମା ଏବଂ ତରକାରୀ ବିକୁଛନ୍ତି ମାଉସୀ । ଯିଏ ଯାହା ଖାଇବ, ଭାତ ହେଉ କି ରୁଟି । ମାତ୍ର ୨୦ ଟଙ୍କାରେ ପେଟ ଭରିଯାଉଥିବାରୁ ଏମିତି ଶସ୍ତା, ସୁନ୍ଦର ଓ ସ୍ୱାଦିଷ୍ଟ ଖାଇବା ଖାଇବାକୁ ଦୀର୍ଘ ୧୫ ବର୍ଷ ହେବ ଲୋକଙ୍କ ଭିଡ ଲାଗୁଥିଲା । ହେଲେ କରୋନା କଟକଣା ପାଇଁ ବେପାର ଜମ୍ମା ହେଉ ନଥିବାରୁ ବୁଢୀ ବୟସରେ କେମିତି ଚଳିବେ । ସେ ନେଇ ଚିନ୍ତାରେ ଅଛନ୍ତି ରୁଟିବାଲୀ ଆମ୍ମା ।

ସେପଟେ ମାଉସୀର ଫୁଟପାଥ ଦୋକାନ ଗରିବଙ୍କ ପାଇଁ ଫାଇଭ ଷ୍ଟାର ହୋଟେଲ ସହ ସମାନ । ରିକ୍ସାବାଲା, ଅଟୋ ଡ୍ରାଇଭର, ଦିନ ମଜୁରୀଆ ଏମିତି ଗରିବଙ୍କ ପାଇଁ ହଟସ୍ପଟ ପାଲଟିଛି ମାଉସୀଙ୍କ ରାସ୍ତାକଡ ଦୋକାନ । ତେବେ ବଞ୍ଚିବା ପାଇଁ କାହା ପାଖେ ହାତ ନପାତି ବୟସର ଅପରାହ୍ଣରେ ବି ତତଲା ତାୱାରେ ଭାଗ୍ୟକୁ ପକାଇ ଥରିଲା ହାତରେ ସ୍ନେହ, ମମତାର ରୁଟି ସେକି ଦେଉଛନ୍ତି ରୁଟିବାଲୀ ଆମ୍ମା ।

ତେବେ କିଛି ଦିନ ତଳେ ଏମିତି ଏକ କାହାଣୀ ରାଜଧାନୀ ଦିଲ୍ଲୀରୁ ଆସିଥିଲା । ବାବା କା ଢାବାର ବୃଦ୍ଧ ଦମ୍ପତ୍ତି ପେଟ ପାଇଁ ଦୋକାନ କରିଥିଲେ । ହେଲେ କରୋନା ପାଇଁ କିଛି ବିକ୍ରି ହେଉଥିବାରୁ କେମିତି ଚଳିବେ ବୋଲି କହି କାନ୍ଦି ପକାଇଥିଲେ ବୃଦ୍ଧ । ଆଉ ଲକଡାଉନ ଯନ୍ତ୍ରଣାର ସେ ଲୁହ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବା ପରେ ତାଙ୍କ ଦୋକାନରେ ଖାଇବାକୁ ଛୁଟିଥିଲା ଲୋକଙ୍କ ସୁଅ । ତେବେ ଦିଲ୍ଲୀ ପରି ଆଗ୍ରାର ଏ କାହାଣୀ, ଏ କଷ୍ଟ, ଏ ଦୁଃଖ ମଧ୍ୟ ସମାନ । ଭୋକ ପାଇଁ, ପେଟ ପାଇଁ ବୁଢୀମାଉସୀ ଚାହିଁଥିଲେ ଭିକ ମାଗି ପାରିଥାନ୍ତେ କିନ୍ତୁ ସ୍ୱାଭିମାନ ପାଇଁ ପରହାତପତାକୁ ନଚାହିଁ ଦୋକାନ କରିଛନ୍ତି ଏ ବୃଦ୍ଧା । ତେଣୁ ବାବା କା ଢାବା ପରି ଯଦି ଏ ରୁଟିବାଲୀ ମାଉସୀଙ୍କ ଖବର ଲୋକଙ୍କ ପାଖରେ ପହଞ୍ଚନ୍ତା ତେବେ ତାଙ୍କ ଭାଗ୍ୟ ବଦଳିଯାଆନ୍ତା ।