କନକ ବ୍ୟୁରୋ : ବିଶିଷ୍ଟ ବୈଜ୍ଞାନିକ ତଥା ଶିଳ୍ପପତି ଡକ୍ଟର ଶୀତକଣ୍ଠ ଦାଶଙ୍କୁ ସମାଜସେବା ପାଇଁ ପୁରସ୍କୃତ କରିଛି ରୋଟାରୀ କ୍ଲବ । କୋଟି କୋଟି ଟଙ୍କାର ପ୍ରୋ-ବାଓଟିକ୍ ଶିଳ୍ପ ଗଠନ କରିବାରେ ସହଯୋଗ କରିଛନ୍ତି ଶୀତକଣ୍ଠ ଦାଶ । ନିକଟରେ ‘ଆର୍କ କ୍ଲୁମ୍ପ ସୋସାଇଟି’ର ସମ୍ମାନଜନକ ସଦସ୍ୟ ଭାବେ ସମ୍ମାନିତ କରିଛି ଏଡିନା ରୋଟାରୀ କ୍ଲବ । ଭଲ କାମ ପାଇଁ ଅତି କମରେ ଅଢ଼େଇ ଲକ୍ଷ ଡଲାର୍ ଅନୁଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ଦିଆଯାଇଥାଏ । ଭାରତ ଦିବସ ଭାବରେ ପାଳିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ଡକ୍ଟର ଦାଶଙ୍କ ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ବିଶ୍ୱ ସ୍ତରରେ ଜଳ ପ୍ରକଳ୍ପକୁ ସହାୟତା କରିବା ଠାରୁ ଆରମ୍ଭ କରି ଓଡ଼ିଶାରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି ।

Advertisment

ଏଡିନା ରୋଟାରୀ କ୍ଲବର ସଭାପତି ସେଲି ଲୋବର୍ଗ କହିଛନ୍ତି, ସମାଜସେବା କ୍ଷେତ୍ରରେ ଡକ୍ଟର ଦାଶଙ୍କ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ସ୍ୱୀକୃତି ଦେଇ ଆମେ ଗର୍ବିତ । ସେହିପରି ‘ମିନେସୋଟା ଇଣ୍ଡିଆ ଆସୋସିଏସନ୍’ର ସଭାପତି ତନୱି ପ୍ରିଗେ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଡକ୍ଟର ସିତକଣ୍ଠ ଦାଶଙ୍କ ଅବଦାନ ଯୋଗୁଁ ତାଙ୍କୁ ଅନେକ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି । ପ୍ରୋ-ବାଓଟିକ୍ସ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । କନ୍କୋର୍ଡିଆ ୟୁନିଭରସିଟିର ଆସୋସିଏଟ୍ ଭାଇସ୍ ପ୍ରେସିଡେଂଟ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ବ୍ରୁସ୍ କୋରୀ କହିଛନ୍ତି, ଆମେରିକାରେ ରହୁଥିବା ଭାରତୀୟଙ୍କ ଅବଦାନ ଅନନ୍ୟ ।

ସେମାନଙ୍କ କ୍ରୟ ଶକ୍ତି, ‘ଆର୍କାନସାସ୍’ର ଅର୍ଥନୀତି ଠାରୁ ବଡ଼ । ସେମାନଙ୍କ ବ୍ୟବସାୟ ‘ନେଭେଦା’ର ଅର୍ଥନୀତି ଠାରୁ ବୃହତ ଏବଂ ସେମାନେ ଯେତିକି ଟିକସ ଦେଉଛନ୍ତି ତାହା ‘ମିନେସୋଟା’ ବଜେଟ ଠାରୁ ଅଧିକ । ଡକ୍ଟର ଦାଶଙ୍କୁ ପ୍ରଶଂସା କରି ବ୍ରୁସ୍ କୋରୀ କହିଛନ୍ତି, ସେ ଏପରି ଜଣେ ବ୍ୟକ୍ତି ଯିଏ ପ୍ରତ୍ୟେକଙ୍କୁ ସମ୍ମାନ ଓ ଆଦର କରିଥାନ୍ତି । ‘ମିନେସୋଟା’ର ‘ବ୍ଲୁ କ୍ରସ୍ ବ୍ଲୁ ସିଲ୍ଡ’ ର ମୁଖ୍ୟ ନାଶ ଶେଖ୍ କହିଛନ୍ତି, ଭାରତୀୟ ଆମେରିକୀୟ ସମୁଦାୟର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଛନ୍ତି ଡକ୍ଟର ଶୀତକଣ୍ଠ ଦାଶ ।