ଜମ୍ମୁ-କାଶ୍ମୀର ଇତିହାସରେ ସବୁଠାରୁ ବଡ ରୋଶନୀ ଜମି ଦୁର୍ନିତୀ ମାମଲା । ତଦନ୍ତରେ କଂଗ୍ରେସ, ପିଡିପି ଓ ଏନ୍ .ସି ନେତାଙ୍କ ନାମ

174

କନକ ବ୍ୟୁରୋ : ଜମ୍ମୁ –କାଶ୍ମୀର ଇତିହାସରେ ସବୁଠାରୁ ବଡ ଜମି ଦୁର୍ନିତୀ ମାମଲାର ଖୋଲାସା ହୋଇଛି । ୨୫ ହଜାର କୋଟି ଟଙ୍କାର ଏହି ଜମି ଦୁର୍ନିତୀ ମାମଲାରେ ଅନେକ ରାଜନୈତିକ ଦଳର ନେତାଙ୍କ ସଂପୃକ୍ତି ଥିବା ସୂଚନା ମିଳିଛି । ଜମ୍ମୁ-କାଶ୍ମୀରରେ ସରକାରୀ ଜମି ଜବରଦଖଲ କରିଥିବା ନେତାଙ୍କ ନାମ ଏକ ଜାତୀୟ ଗଣମାଧ୍ୟମ ପାଖରେ ଥିବା ଦାବି ହୋଇଛି ।

ସବୁଠାରୁ ବଡ କଥା ଏହା ଯେ ଏହି ଘୋଟାଲାରେ ପିଡିପି ନେତା ଓ ଜମ୍ମୁ-କାଶ୍ମୀର ପୂର୍ବତନ ଅର୍ଥମନ୍ତ୍ରୀ ହସୀବ ଦରବେ ସାମିଲ ଥିବା କଥା କୁହାଯାଇଛି । ଏହାସହିତ ଦରବେଙ୍କ ସଂପର୍କୀୟ ଶାହାଜାଦା ବାନୋ, ଏଜାଜ୍ ହୋସେନ୍‌, ଓ ଇପ୍ତିକାର ଦରବେ ଙ୍କ ନାମ ବି ରହିଛି । ଅନ୍ୟପଟେ ଏହି ଜମି ଦୁର୍ନିତୀ ମାମଲାରେ କଂଗ୍ରେସ ନେତାଙ୍କ ନାମ ବି ସାମ୍ନାକୁ ଆସିଛି । କଂଗ୍ରେସ ନେତା କେ.କେ ଅମଲାଙ୍କ ନାମ ରହିଛି । ଘଟଣାର ତଦନ୍ତ ଚାଲିଥିଲେ ବି ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଚାଲୁଥିବାରୁ ସରକାରୀ ଜମି ପୁଣି ଏମାନଙ୍କ ଠାରୁ ତୁରନ୍ତ ଫେରସ୍ତ ଅଣାଯିବ ବୋଲି କୁହାଯାଇଛି ।

ସୂଚନା ଥାଉକି ରାଷ୍ଟ୍ରପତି ଶାସନ ପୂର୍ବରୁ ଜମ୍ମୁ- କାଶ୍ମୀରରେ ପିଡିପି ଓ ବିଜେପିର ମିଳିତ ସରକାର ଥିଲା । ଧାରା ୩୭୦ କୁ ନେଇ ପିଡିପିର ବିଜେପି ସହିତ ମନୋମାଳିନ୍ୟ ହେବାରୁ ପିଡିପି ସରକାରରୁ ଓହୁରି ଯାଇଥିଲା । ଏହା ପରେ ବିଜେପି ବ୍ୟତିତ ଅନ୍ୟ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଗୃହବନ୍ଦି କରି ବିଜେପି ସରକାର ସେଠାରୁ ଧାରା ୩୭୦ ହଟାଇଥିଲେ । ଦୀର୍ଘ ୮ ମାସ ପରେ ସେମାନେ ଗୃହବନ୍ଦିରୁ ମୁକ୍ତ ହେବା ପରେ ଗୁପକାର୍ ନାମକ ଏକ ଗ୍ରୁପ ଗଠନ କରି ବିଜେପିର ଶାସନକୁ କୁଶାସନ କହିବା ସହିତ ମିଳିତ ଭାବେ ବିଜେପି ବିରୋଧରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ।