ଏକ ଏକର ଜମିରେ ଲାଗିଛି ଭଳିକି ଭଳି ଗୋଲାପ । ବର୍ଷକୁ ମିଳୁଛି ୫ରୁ ୬ଲକ୍ଷ ଟଙ୍କାର ରୋଜଗାର

242

କନକ ବ୍ୟୁରୋ : ଫୁଲ,.. ପ୍ରାୟ ସମସ୍ତଙ୍କ ମନକୁ ଆକୃଷ୍ଟ କରିଥାଏ । ସ୍ୱାଗତ ହେଉ ଅବା ଶ୍ରଦ୍ଧାଂଜଳି ଲୋକଙ୍କ ମନ କିଣିନିଏ । ଫୁଲ ଭିତରେ ଗୋଲାପ ଫୁଲର ଚାହିଦା ସବୁଠୁ ଅଧିକ । ଆଉ ଏହି ଫୁଲ ଚାଷ କରି ଲକ୍ଷପତି ହୋଇଛନ୍ତି ବୋଲଗଡ଼ର ଚାଷୀ ଆନନ୍ଦ କୁମାର ସାହୁ । ଏକ ଏକର ଜମିରେ ଲାଲ, ହଳଦିଆ ଓ ଧଳା ରଙ୍ଗର ଗୋଲାପ ଗଛ ଲଗାଇଛନ୍ତି ଆନନ୍ଦ । ଗୋଲାପ ଚାଷରୁ ସେ ବର୍ଷକୁ ୫ରୁ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ୪ଟି ପରିବାରକୁ ରୋଜଗାରକ୍ଷମ କରାଇଛନ୍ତି । ତାଙ୍କ ବଗିଚାରୁ ଉତ୍ପାଦନ ହେଉଥିବା ଫୁଲ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ବଲାଙ୍ଗୀର ପରି ସ୍ଥାନକୁ ରପ୍ତାନୀ ହେଉଛି ।

୨୦୧୭ରୁ ଫୁଲ ଚାଷ ଆରମ୍ଭ କରିଥିଲେ ଆନନ୍ଦ । ଏଥିପାଇଁ ସେ ୪୫ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି । ତାଙ୍କ ବଗିଚାରେ ପାଖାପାଖି ୧୫ରୁ ୧୭ ହଜାର ଗଛ ଲାଗିଛି । ଥରେ ଗଛ ଲଗାଇଲେ ପ୍ରାୟ ୪ ବର୍ଷ ଯାଏଁ ଏହି ଫୁଲ ଫୁଟିଥାଏ । ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ଏହି ଚାଷ ପାଇଁ ସହାୟତା ମିଳିଛି । ପ୍ରତେକ ଫୁଲ ପିଛା ୬ରୁ ୧୦ ଟଙ୍କା ରହିଥିବା ବେଳେ ଲାଲ ଗୋଲାପର ରହିଛି ଅଧିକ ଚାହିଦା । ବ୍ୟବସାୟୀ ମାନେ ବାହାର ରାଜ୍ୟର ଫୁଲ ଉପରେ ଭରସା କରିବା ପରିବର୍ତେ ଆନନ୍ଦଙ୍କ ଠାରୁ ଫୁଲ ନେଇ ବ୍ୟବସାୟ କରୁଛନ୍ତି ।

ବର୍ତମାନ ସମୟରେ ଚାକିରି ପଛରେ ଧାଉଁଥିବା ଯୁବପିଢ଼ିଙ୍କ ପାଇଁ ଫୁଲ ଚାଷୀ ଆନନ୍ଦ କୁମାର ପ୍ରେରଣା ପାଲଟିଛନ୍ତି । କାରଣ ଏହି ଚାଷ କରି ସେ ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ନିଜର ପରିବାର ପ୍ରତିପୋଷଣ କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରୁଛନ୍ତି ।