ଦେବ କି ଦେବନି… ହଜାରେ ଥର ଭାବି ଭାବି ହାତରେ ନୁହେଁ ଚୁପ୍ କିନା ଆଦ୍ୟାର ବ୍ୟାଗରେ ଗୋଲାପଟେ ଭରିଦେଲା ଅମନ । ଆଉ ତାପରେ… ପଢନ୍ତୁ ଗୋଲାପର ପ୍ରେମ କାହାଣୀ…

402

କନକ ବ୍ୟୁରୋ: ଆଜି ରୋଜ୍ ଡେ । ପ୍ରେମଋତୁର ଆଦ୍ୟ ପର୍ବ । ଗୋଲାପ ଦିବସରେ ପଢନ୍ତୁ ଏକ ସୁନ୍ଦ ପ୍ରେମ କାହାଣୀ । ଖବରର ଭିଡ ଭିତରେ ଆପଣଙ୍କୁ ନୂଆ ଅନୁଭୂତି ଦେବ ।

ସବୁ ଗୋଲାପରେ ପ୍ରେମ ହୁଏନି…

() ନୂଆ ନୂଆ ଚିହ୍ନା ପରିଚୟ । ଯଦିଓ କେବେ ସେମାନେ ସାମ୍ନା ସାମ୍ନି ଦେଖା ହୋଇ ନାହାନ୍ତି । କିନ୍ତୁ ଆଜିକାଲି ତ ସୋସିଆଲ ମିଡିଆ ଜମାନା, ସମ୍ପର୍କକୁ ସୁଦୃଢ କରିବା ପାଇଁ ତାହା ହିଁ ଏକମାତ୍ର ମାଧ୍ୟମ । ଅମନର ବାର୍ଥଡେରେ ଆଦ୍ୟା ମେସେଞ୍ଜରରେ ଶୁଭେଚ୍ଛା ଜଣାଇଥିଲା । ବାସ୍ ସେବେଠୁ ଆଗେଇଛି କଥାବାର୍ତ୍ତା । ୟା ଭିତରେ ୨ ମାସ ବିତିଗଲାଣି । ମନର କଥା ମେସେଞ୍ଜରରୁ ହୃଦୟର ହ୍ୱାଟ୍ସଆପକୁ ଆସିଲାଣି । ନମ୍ବର ଦିଆନିଆ ପରେ ହ୍ୱାଟ୍ସଆପରେ ହାଏ, ହ୍ୟାଲୋ । କେବେ କେବେ କଲ୍ ପୁଣି କେବେ ଭିଡିଓ କଲ୍ । ଆଜିକାଲି ଆଦ୍ୟାର ଫୋନକଲରେ ଅମନର ନିଦ ଭାଙ୍ଗୁଛି, ସକାଳ ହେଉଛି । ଅମନ ବି ତାର ପ୍ରପର କେୟାରିଂ ନେଉଛି । ଅଫିସ ଚାପରେ ଆଦ୍ୟା ଟିକେ ଡିପ୍ରେସ ଥିଲେ, ଅମନର ମିଠା ମିଠା କଥା ତା ପାଇଁ ମେଡିସିନ ଭଳି କାମ ଦେଉଛି । ଅମନ ଲେଟ୍ ନାଇଟରେ ଅଫିସରୁ ଫେରିବା ଯାଏଁ ବି ଏ ସ୍ୱାର୍ଥପର ସହରରେ ଆଦ୍ୟା ହିଁ ଜଣେ ଝିଅ ତା ପାଇଁ ଅପେକ୍ଷା କରୁଛି । ସେ ଶୋଇଲେ ଇଏ ଶୋଉଛି । ଫୋନରେ କଥା ହେଉ ହେଉ ଦୁହିଁଙ୍କର ରାତି ପାହି ଯାଉଛି । କିଏ କଣ ପିନ୍ଧି ଅଫିସ ଯିବ, ତାବି ଦୁହେଁ ଦୁହିଁଙ୍କ ପାଇଁ ଡିସାଇଡ୍ କରୁଛନ୍ତି । କହିବାକୁ ଗଲେ ପ୍ରେମର ଆଦ୍ୟ ପର୍ବ ଆଦ୍ୟା ଜୀବନକୁ ପୁଲକିତ କରିଛି । ନିଦାଘରେ ବସନ୍ତର ସ୍ପର୍ଶ ଦେଉଛି । ଗୋଟେ ପ୍ରେମିକା ପାଇଁ ଆଉ କଣ ଦରକାର ଏ ରାଜଧାନୀରେ ।

ସେଦିନ ଆଦ୍ୟା ଜିଦି କଲା ଅମନକୁ ଦେଖା କରିବା ପାଇଁ । ପ୍ରାଇଭେଟ୍ ଜବରେ ଯଦିଓ ଏତେ ଛୁଟି ନଥାଏ, କିନ୍ତୁ ଦେହ ଖରାପର ବାହାନା କରି ଅମନ ଆଦ୍ୟାକୁ ଦେଖା କରିବାକୁ ଗଲା । ସମ୍ପର୍କ ମୂଳଦୁଆ ପଡିବାର ଅନେକ ଦିନ ହୋଇଗଲାଣି ହେଲେ କେବେ ଆଖିରେ ଆଖି ମିଶିନି । ଶୀତୁଆ ପାଗ ଥିବାରୁ ଆଦ୍ୟାର ଇଚ୍ଛାଥିଲା ଅମନ ସହ ଗରମ ଗରମ ଚା ପିଇବାକୁ । ସେଥିପାଇଁ ହଠାତ୍ ଡାକିଲା ଆଦ୍ୟା । ପ୍ରଥମ ଦେଖା ହେବ- ମନରେ ଅନେକ ଉତ୍ସୁକତା, ପ୍ରଥମ ଦେଖା ହେଉ ହେଉ ଆଦ୍ୟାକୁ କୁଣ୍ଢାଇ ନେବ ନା ଟିକେ ଡିସଟାନ୍ସ ମେଣ୍ଟନ କରିବ । ତା ପାଇଁ କଣ ନେବ ? ଚକଲେଟ୍ ନା ମିଠା? କାରଣ ମିଠା ଖାଇବାକୁ ଭାରି ଭଲପାଏ ଆଦ୍ୟା । ନୂଆ ନୂଆ କଥା ହେଲେ ବେଳେ ଆଦ୍ୟାର ପସନ୍ଦ ନାପସନ୍ଦ ଜାଣିଛି ଅମନ । କଣ ନେବ କଣ ନେବ ଭାବି ଭାବି ଗୋଟେ କ୍ୟାଡବରୀ ଚକଲେଟ୍ ଆଉ ହାତରେ ଗାଢ ନାଲି ରଙ୍ଗର ଗୋଟେ ଗୋଲାପ ନେଲା । ନୟାପଲ୍ଲୀରୁ ଅମନର ସ୍କୁଟିରେ ବସିଲା ଆଦ୍ୟା । ଅମନ କହିଲା କୁଆଡେ ଯିବା- ଆଦ୍ୟା ଚୁପଚାପ ଥିଲା, ଠିକ୍ ତା ସିଟ୍ ପଛର ଦୂରତା ଭଳି । ରାସ୍ତାରେ ଗାଡି ଆଗଉଥିଲେ ବି ଦୁହିଁଙ୍କ ଭିତରେ ଅସମ୍ଭବ ନିରବତା ଥିଲା । ହଠାତ୍ ବାଣୀବିହାର କ୍ୟାମ୍ପସ ଆଡେ ଇସାରା ଦେଲା ଆଦ୍ୟା ଆଉ ଅମନ ଗାଡି ବୁଲେଇ ଗୋଟେ ନିଚ୍ଛାଟିଆ ସ୍ଥାନରେ ଗାଡି ରଖିଲା ।

ବାସ୍ ଦୁହେଁ ଏବେ ସାମ୍ନା ସାମ୍ନି- ଅତି ନିକଟରେ । ଓଠ କିଛି କହୁନି, ହେଲେ ଆଖିମାନେ କଥା କହୁଛନ୍ତି । ପାଟି ଖୋଲି କିଛି କହିବା ଆଗରୁ ଆଦ୍ୟା ହାତରେ ଚକଲେଟ୍ ଧରେଇଦେଲା ଅମନ । ୱାଉ… ଚକଲେଟ୍… ମାଇ ଫେବରେଟ୍ କହି ଚକଲେଟ ଖାଇଗଲା ଆଦ୍ୟା । ହେଲେ ଅସଲ ଜିନିଷଟା ଏଯାଏଁ ଦେଇପାରିନି ଅମନ । ପ୍ରାୟ ଘଣ୍ଟାଏ ଖଣ୍ଡେ କଥା ହୋଇ ଦୁହେଁ ଫେରି ଆସିଲେ ଆଦ୍ୟାର ହଷ୍ଟେଲ ପାଖକୁ । ହେଲେ ବଜାରରୁ କିଣି ଆଣିଥିବା ସେ ଗୋଲାପଟିକୁ ଏଯାଏଁ ବି ସାହସ କରି ଦେଇ ପାରିନି ଅମନ । ପୁରୁଷର ଛାତିରେ ବାକି ସବୁ ପାଇଁ ସାହସ ଭରିଥିଲେ ବି ଏ କ୍ଷେତ୍ରରେ କଣ ପାଇଁ ହୁଏନି କେଜାଣି । ଆଦ୍ୟା ହଷ୍ଟେଲକୁ ଏଣ୍ଟ୍ରି କଲାବେଳେ ତା ବ୍ୟାଗରେ ଗୋଲାପଟିକୁ ଚୁପ୍ କିନା ଭରିଦେଲା ଅମନ, ଆଉ ଆଖିରେ ଗଡ ଜିଣିବାର ଇସାରା ଦେଇ କହିଲା, ରୁମରେ ଯାଇ ଦେଖିଦେବ । ଯଦିଓ ସେମାନଙ୍କ ସମ୍ପର୍କ କଣ ଏଯାଏଁ ସେମାନେ ତାର ସଂଜ୍ଞା ଦେଇ ନାହାନ୍ତି । ତଥାପି ଦୁହିଁଙ୍କ ପ୍ରତି ଥିବା ନିବିଡତାର ନିଦର୍ଶନ ହେଉଛି ଏଇ ସଜ ନାଲି ଗୋଲାପ । ଯାହାକୁ ଆଦ୍ୟା ସମ୍ପର୍କର ପ୍ରଥମ ସ୍ମୃତି, ପହିଲି ସାକ୍ଷୀ ଭାବେ ତା ପେଣ୍ଟେଡ୍ ବଟଲରେ ରଖିଥିଲା ।

ପ୍ରଥମ ଦେଖା ପରେ ପରେ ଆଦ୍ୟାକୁ ଅମନ ତା ବିଷୟରେ କିଛି କହିବାକୁ ଚାହୁଁଥିଲା । ହେଲେ ସମୟ ମିଳୁନଥିଲା । ୨ୟ ଥର ଭେଟି ତାକୁ ସବୁ କହିବାକୁ ଅମନ ପ୍ରସ୍ତୁତ ହେଲା ବେଳକୁ ପରଦିନ ସକାଳେ ଆଦ୍ୟା ସହ ଯୋଗାଯୋଗ ବିଚ୍ଛିନ୍ନ ଥିଲା । ନା ଫୋନ୍ ଲାଗୁଥିଲା ନା ହ୍ୱାଟ୍ସଆପରେ ମେସେଜ । ଫେସବୁକରୁ ଇନଷ୍ଟା ସବୁ ସୋସିଆଲ ମିଡିଆରେ ଆଦ୍ୟା, ଅମନକୁ ବ୍ଲକ କରିଦେଇଥିଲା । ରାତିରେ ସବୁ ତ ଠିକଠାକ୍ ଥିଲା ହେଲେ ସକାଳେ କଣ ପାଇଁ ସବୁ ବଦଳିଗଲା ତାର କାରଣ କିଛି ବୁଝି ପାରୁନଥିଲା ଅମନ । ସମ୍ପର୍କରେ ଫାଇଭ୍ ଡବ୍ଲୁ ୱାନ୍ ଏଚ୍ ପକେଇ ଯେତେ ଖୋଜିଲେ ବି ଖିଅ ମିଳୁ ନଥିଲା । ଡିପ୍ରେସନରେ ଅଫିସ ଗଲା ବେଳେ ଆଦ୍ୟା ନମ୍ବରରୁ ଫୋନ୍ ଆସେ- ହ୍ୟାଲୋ ! ଫୋନ ସେପଟୁ ଗୋଟେ ନିଶ୍ୱାସରେ ଆଦ୍ୟା କହିଲା- ଅମନ୍ ! ମୋର ବାହାଘର ଘରେ ଠିକ୍ କରି ଦେଇଛନ୍ତି । ସିଏ ୱେଲ୍ ଏଷ୍ଟାବ୍ଲିସ, କାର୍ ଅଛି, ଟଙ୍କା ଅଛି, ଦେଖିବାକୁ ବି ସୁନ୍ଦର । ମୁଁ ଭାବୁଛି ସେପଟେ ମୁଁ ସେତିକି ଏଫର୍ଟ ଦେଲେ ମୋ ଲାଇଫଟା ବନିଯିବ । ପ୍ଲିଜ୍ ଡୋଣ୍ଟ ମାଇଣ୍ଡ ! ନିଜ କେୟାର ନିଜେ ନେଉଥିବ…

ଫୋନ୍ କଟିସାରିବା ବେଳକୁ ଅମନକୁ ସବୁକିଛି ଅନ୍ଧାର ଦିଶୁଥାଏ । ରାଜଧାନୀ ରାସ୍ତାକଡର ବିକ୍ରି ହେଉଥିବା ନାଲି ଗୋଲାପ ସବୁ ସତେ ଯେମିତି ଫିକା ଫିକା ଦିଶୁଥାଏ । ପ୍ରଥମ ପ୍ରେମରେ ହିଁ ପ୍ରତାରଣା ପାଇ ନିଜକୁ ଧିକ୍କାର କରୁଥିଲା ଅମନ । ଆଉ ଭାବୁଥିଲା- ତା ଗୋଲାପରେ କିଛି କଣ୍ଟା ରହିଗଲା କି ? ଭୁବନେଶ୍ୱରରେ ଝିଅକୁ ଭଲପାଇବା ଭୁଲ ହୋଇଗଲାକି ? ହଠାତ୍ ଜୟଦେବ ବିହାର ଛକରେ ଟ୍ରାଫିକ୍ ସିଗନାଲ ପଡିଗଲା । ରେଡ୍ ଲାଇଟ୍ ପରି ଅମନର ଅଧାଗଢା ସମ୍ପର୍କ ବି ଅଟକିଗଲା…

ବିଦ୍ର: ଏହା ଏକ କାଳ୍ପନିକ କାହାଣୀ । ଏଥିରେ ଥିବା ନାଁ କେବଳ ଗପ ପାଇଁ ଉଦିଷ୍ଟ ।