ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ । ହୋଟେଲରେ ଦିଆଗଲା ନାହିଁ ରୁମ୍ ସର୍ଭିସ । ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କଲେ ଭାରତୀୟ ଖେଳାଳୀ ।

131

କନକ ବ୍ୟୁରୋ : ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ବିସିସିଆଇ ଏଥିରେ ହସ୍ତକ୍ଷେପ କରିଛି ।

ଘଟଣା ସମ୍ପର୍କରେ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆ ଓ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଛି । ଏହାପରେ ଖେଳାଳିଙ୍କୁ ସୁଇମିଂ ପୁଲ, ଜିମ ଓ ଲିଫ୍ଟ ବ୍ୟବହାର କରିବା ପାଇଁ ଅନୁମତି ମିଳିବା ସହ ଅନ୍ୟାନ୍ୟ ସୁବିଧା ଦିଆଯାଇଛି ।

ଖେଳାଳି ମାନେ ହୋଟେଲରେ ପହଂଚିବା ପରେ ତାଙ୍କୁ ହାଉସକିପିଂ ସର୍ଭିସ ଯୋଗାଇ ଦିଆଯାଇ ନଥିଲା, ଖେଳାଳିଙ୍କୁ ନିଜ ରୁମର ବେଡ ନିଜେ ସଜାଡିବାକୁ ପଡିଥିଲା । ଏପରିକି ବାଥରୁମ୍ ଓ ଟଏଲେଟ ମଧ୍ୟ ନିଜେ ସଫା କରିଥିଲେ ଖେଳାଳି । ହୋଟେଲରେ ଖେଳାଳି ପହଂଚିବା ପରେ ରୁମ ସର୍ଭିସ ସୁବିଧା ନଥିଲା । ନିଜ ବ୍ୟାଗ ଓ କ୍ରୀଡା ଉପକରଣ ଖେଳାଳିମାନେ ବୋହି ବୋହି ନିଜ ରୁମକୁ ନେଇଥିଲେ ।

କରୋନା ଭାଇରସ ଜନିତ କଟକଣା ପାଇଁ ପୂର୍ବରୁ ଭାରତୀୟ ଦଳ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲା । ଏବେ ବ୍ରିସବେନ ଯିବା ପରେ ତାଙ୍କୁ ଏପରି ସ୍ଥିତିର ସାମ୍ନା କରିବାକୁ ପଡିଛି ।

ଅଗଷ୍ଟ ମାସରୁ ଖେଳାଳିମାନେ ଘରଠାରୁ ଦୂରରେ ଥିଲେ ମଧ୍ୟ ସେମାନଙ୍କୁ ବାରମ୍ବାର କଠୋର କ୍ୱାରେଂଟିନରେ ରହିବାକୁ ପଡୁଛି । ସିଡନୀରେ ମଧ୍ୟ ସେମାନଙ୍କୁ ଏହିଭଳି କଠୋର କଟକଣା ଭିତରେ ରହିବାକୁ ପଡିଥିଲା । କେବଳ ଗ୍ରାଉଣ୍ଡ ଓ ହୋଟେଲ ବ୍ୟତୀତ ଖେଳାଳିମାନେ ଆଉ କୁଆଡେ ଯାଇପାରି ନଥିଲେ । ହୋଟେଲ ବାଉଣ୍ଡରୀରେ ମଧ୍ୟ ବୁଲାବୁଲି କରୁବାକୁ ସୁଯୋଗ ଦିଆଯାଇନଥିଲା ।