କନକ ବ୍ୟୁରୋ: ଲକଡାଉନ୍ ଶିଖାଇଦେଲା ଚାଷ । ଶିକ୍ଷକତା ସେମାନଙ୍କ ପେଶା ହୋଇଥିବା ବେଳେ ସମୟ ଅତିବାହିତ କରିବା ପାଇଁ ଦୁଇ ଭାଇ ନିଜ ବାଡିରେ ଆରମ୍ଭ କରିଥିଲେ ପନିପରିବା ଚାଷ । ରାସାୟନିକ ସାର ଓ ଔଷଧ ପ୍ରୟୋଗର କୁପରିଣତି ଠିକ ଭାବେ ବୁଝି ଥିବା ଏହି ଦୁଇ ଭାଇ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ଏବଂ ପାଇଛନ୍ତି ସଫଳତା । ଫଳରେ ସ୍ଥାନୀୟ ଅଂଚଳରେ ଏବେ ଜୈବିକ ପଦ୍ଧତିରେ ଚାଷ ପ୍ରତି ବଢିଛି ଲୋକଙ୍କ ଆଗ୍ରହ ।
ଛାତ ଉପରେ କରାଯାଇଛି ବିଭିନ୍ନ ପ୍ରକାର ପନିପରିବା ସହ ଶାଗ ଚାଷ, ତାହା ପୁଣି ବିନା ରାସାୟନିକ ସାର ବିଷ ପ୍ରୟୋଗ ଦ୍ବାରା । କେବଳ ଜୈବିକ ସାର ବ୍ୟବହାର କରି ଉତ୍ପାଦନ ହେଉଛି ପରିବା। କରୋନା ତାଲାବନ୍ଦ ବେଳେ ଛାତ ଉପରେ ବାଇଗଣ, ମୁଳା, ଗାଜର, ବିଟ, ବିମ, ବିଲାତି, କୋବି, ଲଙ୍କା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଦୁଇ ଜଣ ଶିକ୍ଷକ ଭାଇ ।
କେନ୍ଦୁଝର ଘସିପୁରା ବ୍ଲକ କଇଁଆବୋରେଇ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ଦୁଇ ପୁଅ ଦେବିଦତ ଓ ଦେବାଶିଷ ପେଷାରେ ଶିକ୍ଷକତା କରୁଥିବା ବେଳେ କରୋନା ମହାମାରୀ ପାଇଁ ଲକଡାଉନ ବେଳେ ଶିକ୍ଷକରୁ ଚାଷୀ ହୋଇଗଲେ । ଏବଂ ଜୈବିକ ସାର ପ୍ରୟୋଗ କରି ନିଜ ବାଡି ସହ ଛାତ ଉପରେ ଚାଷ କରି ଏହାକୁ ଖୁବ୍ କମ ଦରରେ ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଛନ୍ତି ।