ଆଜିଠୁ ସମୁଦ୍ରରେ ମାଛ ମାରିବାକୁ ମିଳିଛି ଅନୁମତି ,ସମୁଦ୍ରକୁ ଯିବା ଆଗରୁ ପାରାଦୀପ ମାଛଧରା ବନ୍ଦରରେ ହୋମଯଜ୍ଞ ସହ ପୂଜାପାଠ ।

188

କନକବ୍ୟୁରୋ:ସରିଛି ୨ ମାସର କଟକଣା । ଏବେ ମାଛ ମାରିବାକୁ ଯିବାର ସମୟ । ପ୍ରତିବର୍ଷ ଏପ୍ରିଲ ୧୪ରୁ ଜୁନ ୧୪ ଯାଏଁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗିଥାଏ । ଚଳିତ ବର୍ଷର ସେହି କଟକଣା ସରିବା ପରେ ସମୁଦ୍ରରୁ ମାଛ ମାରିବାକୁ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି ମତ୍ସ୍ୟଜୀବୀ ଓ ବୋଟ୍ ମାଲିକ । ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନିମନ୍ତେ ଯଜ୍ଞ କରାଯାଉଛି । ବରୁଣ ଦେବ ଓ ଗଙ୍ଗା ଦେବୀଙ୍କୁ ଆବାହନ କରାଯାଇଛି ।

ମତ୍ସ୍ୟଜିବୀ ଓ ବୋଟ ମାଲିକଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚାନା କରାଯାଇଛି । ପାରାଦୀପ ବନ୍ଦର ଅନେକଙ୍କ ଜୀବନ ଜୀବିକାର ପେଣ୍ଠସ୍ଥଳୀ । ଏବଂ ଏଠିକାର ମତ୍ସ୍ୟଶିଳ୍ପ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ୧୫ ଲକ୍ଷ ପରିବାରର ଭାତହାଣ୍ଡି । ତେଣୁ ପ୍ରତିବର୍ଷ ଜୁନ ୧୫ ତାରିଖରେ ଯନ୍ତ୍ରଚାଳିତ ବୋଟ ଗୁଡିକ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ମାଛ ଧରି ବିକ୍ରିବଟା କରି ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତବର୍ଷ ସମୁଦ୍ରରୁ ଭଲ ମାଛ ଉତ୍ପାଦନ ହେବ ବୋଲି ଆଶା ରହିଛି ।  ଏହାସହ ପାରାଦୀପ ମାଛଧରା ବନ୍ଦରରେ ଥିବା ସମସ୍ୟା ଓ ଦାବି ଦିଗରେ ଓଡିଶାର ନୂତନ ସରକାର ପଦକ୍ଷେପ ନେଇ ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟାଇବେ ବୋଲି ଆଶା ରଖିଛନ୍ତି ବୋଟ ମାଲିକ ଓ ମତ୍ସ୍ୟଜିବୀ ।