ଆସନ୍ତା ବର୍ଷ ଚାମ୍ପିୟନ୍ସ ଟ୍ରଫି ଖେଳିବେ ରୋହିତ-ବିରାଟ । ଜୟ ଶାହା କଲେ ପକ୍କା, କହିଲେ ଦଳରେ ରହିବେ ସିନିୟର ଖେଳାଳି ।

2,058

କନକ ବ୍ୟୁରୋ: ଚଳିତ ଥର ଟି-୨୦ ବିଶ୍ୱକପ୍ ଜିତିସାରିଛି ଟିମ୍ ଇଣ୍ଡିଆ । ଆଉ ଦଳର ଆଗାମୀ ଲକ୍ଷ୍ୟ ରହିଛି ଚାମ୍ପିୟନ୍ସ ଟ୍ରଫି । ତେବେ ଅନ୍ତର୍ଜାତୀୟ ଟି-୨୦ରୁ ଦଳର ଦୁଇ ଭେଟେରାନ୍ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେଇଯାଇଥିବାରୁ, ଆଗାମୀ ଚାମ୍ପିୟନ୍ସ ଟ୍ରଫିରେ ଦୁହେଁ ନଜର ଆସିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ବଢିଛି । ହେଲେ ଏହାରି ଭିତରେ ବିସିସିଆଇ ସମ୍ପାଦକ ଜୟ ଶାହା ଦେଇଛନ୍ତି ଏକ ବଡ ବୟାନ ।

ଜାତୀୟ ଗଣମାଧ୍ୟମକୁ ଜୟ ଶାହା କହିଛନ୍ତି ଯେ, ମୁଁ ଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଆଗାମୀ ବର୍ଷ ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦଳରେ ସିନିୟର ଖେଳାଳିମାନେ ସ୍ଥାନ ପାଇବେ । ଅର୍ଥାତ ତାଙ୍କର ଏହି ବୟାନକୁ ଲୋକ ବିରାଟ ଏବଂ ରୋହିତଙ୍କ ସହ ଯୋଡିଛନ୍ତି । ଯେହେତୁ ଦୁହେଁ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇସାରିଛନ୍ତି । ତେଣୁ ଦୁଇ ଜଣ ଯାକ ପ୍ଲେୟାର ଏବେ ଚାମ୍ପିୟନ୍ସ ଟ୍ରଫି ଉପରେ ଫୋକସ୍ କରିଛନ୍ତି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କଲେଣି ।

ଜୟ ଶାହାଙ୍କ କହିବା କଥା, ଯେଉଁଭଳି ଭାବରେ ଏହି ଟିମ୍ ଆଗକୁ ବଢୁଛି, ସେହି ହିସାବରେ ଆମର ଆଗାମୀ ଲକ୍ଷ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଜିତିବା । ଏଥର ଟୁର୍ଣ୍ଣାମେଣ୍ଟରେ ଯେଉଁ ଟିମ୍ ଖେଳିଛି, ପାଖାପାଖି ସେହି ଟିମ୍ ଚାମ୍ପିୟନ୍ସ ଟ୍ରଫି ଖେଳିବ ବୋଲି ଜୟ ଶାହା କହିଛନ୍ତି । ତେଣୁ ଚାମ୍ପିୟନ୍ସ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳିବେ ବୋଲି ସେ କହିଛନ୍ତି ।