କନକ ବ୍ୟୁରୋ : ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡିବା ପରେ ଏବେ କୋହଲିଙ୍କ ଦିନିକିଆ ଅଧିନାୟକ ପଦ ଉପରେ ମଧ୍ୟ ସଙ୍କଟର କଳା ବାଦଲ ଘୂରି ବୁଲୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ରିପୋର୍ଟ ଅନୁଯାୟୀ, ବିରାଟଙ୍କ ବଦଳରେ ଦିନିକିଆ ଅଧିନାୟକ ପଦ ହିଟମ୍ୟାନଙ୍କ ହାତକୁ ଦେଇପାରେ ବିସିସିଆଇ । ବିରାଟ ଟି-୨୦ ଅଧିନାୟକ ପଦ ଛାଡିବା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଥମଥର ଦିନିକିଆ ସିରିଜ ଖେଳିବ ଭାରତ । ତେଣୁ ଏହି ସିରିଜ ପୂର୍ବରୁ ବୋଧହୁଏ ବଡ ନିଷ୍ପତ୍ତି ନେଇପାରେ ବୋର୍ଡ । ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜର ମଙ୍ଗ ରୋହିତ ସମ୍ଭାଳିଥିବା ବେଳେ ଟେଷ୍ଟ ଟିମର ଅଧିନାୟକ ଭାର କୋହଲି ଧରିଥିଲେ । ତେଣୁ ଟି-୨୦ ଓ ଟେଷ୍ଟ କ୍ରିକେଟର ଅଧିନାୟକ ପଦକୁ ନେଇ ଥିବା ସଂଶୟ ଦୂର ହୋଇଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ କେଉଁ ମୁର୍ହୂତ୍ତରେ ମଧ୍ୟ ଭାରତୀୟ ଦଳ ଘୋଷଣା ହୋଇପାରେ । ଓମିକ୍ରନ କାରଣରୁ ଟିମ୍ ଚୟନ ମିଟିଂ କିଛି ସମୟ ପାଇଁ ସ୍ଥଗିତ କରାଯାଇଛି । ଯେହେତୁ ଆସନ୍ତା ଡିସେମ୍ବର ୨୬ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଆରମ୍ଭ ହେବ ତେଣୁ ଏହା ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । କାରଣ ସେଠାରେ ପହଞ୍ଚିବା ପରେ ୫ ଦିନ କ୍ୱାରେଣ୍ଟିନରେ ରହିବାର ନିୟମ ରହିଛି । ତେଣୁ ଭାରତୀୟ ଦଳ ଆସନ୍ତା ୧୫ ସୁଦ୍ଧା ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରିପାରେ । ଆଉ ଏହା ପୂର୍ବରୁ ଟିମ୍ ଘୋଷଣା କରାଯିବ । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଯେଉଁ ଟିମ୍ ଘୋଷଣା କରାଯିବ ତାହା ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ ।
ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବିରାଟ ଦିନିକିଆ ଟିମର ଅଧିନାୟକ ବଜାୟ ରଖିବା ବେଶ କଷ୍ଟକର ହୋଇପାରେ । କାରଣ ଟି-୨୦ ଓ ଦିନିକିଆ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ଫର୍ମୁଲାକୁ ଅନେକ ଗ୍ରହଣ କରିପାରୁନାହାନ୍ତି । ଟିମ୍ ଭିତରେ ସମନ୍ୱୟ ରଖିବାକୁ ଉଭୟ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ଜଣଙ୍କ ହାତରେ ନ୍ୟସ୍ତ କରିବା ସପକ୍ଷରେ ଯାଇପାରେ ବିିସିସିଆଇ । ଯେହେତୁ ୨୦୨୩ରେ ବିଶ୍ୱକପ ରହିଛି ତେଣୁ ଏବେଠୁ ଦଳଠୁ ପ୍ରସ୍ତୁତ କରିବାକୁ ପଡିବ । ତେଣୁ ଏଭଳି ସ୍ଥିତିରେ ରୋହିତଙ୍କ ହାତରେ ଅଧିନାୟକ ଦାୟିତ୍ୱ ଦେଇ ଦଳକୁ ମଜବୁତ୍ କରିପାରନ୍ତି ଚୟନକର୍ତ୍ତା ।