କନକ ବ୍ୟୁରୋ : ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳା ପାଇଁ ମଙ୍ଗଳବାର ୧୬ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏହି ଶୃଙ୍ଖଳା ପାଇଁ ରୋହିତ ଶର୍ମାଙ୍କୁ ବିସିସିଆଇ ମନୋନୟନ ସମିତି ଅଧିନାୟକ ଭାବେ ନିଯୁକ୍ତ କରିଛି । ଚଳିତ ଟି-୨୦ ବିଶ୍ବକପ୍‌ ଅବସରରେ ନେତୃତ୍ବ ଭାର ଛାଡ଼ିଦେବେ ବୋଲି ବିରାଟ କୋହଲି ଘୋଷଣା କରିଥିବାରୁ ଧଳା ବଲ୍‌ର ଉପଅଧିନାୟକ ରୋହିତ ଶର୍ମା ହିଁ ଏହି ପଦ ପାଇଁ ସର୍ବାଧିକ ପସନ୍ଦର ଖେଳାଳି ରହିଥିଲେ । ଶେଷରେ ଚୟନ ସମିତି ରୋହିତଙ୍କ ନାମରେ ମୋହର ମାରିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟି-୨୦ ଶୃଙ୍ଖଳାରେ କେଏଲ୍‌ ରାହୁଲଙ୍କୁ ଉପଅଧିନାୟକ ପଦ ମିଳିଯାଇଛି । ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟି-୨୦ ଶୃଙ୍ଖଳାରୁ ବିରାଟ କୋହଲିଙ୍କ ସହ ଯଶ୍‌ପ୍ରୀତ୍‌ ବୁମ୍‌ରା, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା ଏବଂ ମହମ୍ମଦ ସାମି ପ୍ରମୁଖଙ୍କୁ ବିଶ୍ରାମ ଦିଆଯାଇଛି ।

Advertisment

ଉଭୟ ଦଳ ଜୟପୁର, ରାଞ୍ଚି ଏବଂ କୋଲ୍‌କାତାରେ ୩ଟି ଟି-୨୦ ମ୍ୟାଚ୍‌ ଖେଳିବେ । ଏହି ମ୍ୟାଚ୍‌ ଆସନ୍ତା ୧୭, ୧୯ ଓ ୨୧ ତାରିଖରେ ଖେଳାଯିବ । ପୂର୍ବ ସୂଚନା ଅନୁଯାୟୀ ଟି-୨୦ ବିଶ୍ବକପ୍‌ ଦଳରୁ ଏକାଧିକ ଖେଳାଳି ପରିବର୍ତନ କରାଯାଇଛି । ଶ୍ରେୟସ ଆୟର, ୟୁଝ୍‌ବେନ୍ଦ୍ର ଚହଲ, ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଦଳକୁ ଫେରିଥିଲା ବେଳେ ଆଇପିଏଲ୍‌ ପ୍ରଦର୍ଶନକୁ ଭିତ୍ତି କରି ହର୍ଷଲ ପଟେଲ, ଅଭେଶ ଖାନ୍‌, ଋତୁରାଜ ଗାଏକ୍ବାଡ ଓ ଭେଙ୍କଟେସ୍‌ ଆୟର ଜାତୀୟ ଦଳରେ ସାମିଲ ହୋଇଛନ୍ତି । ସେହିପରି ବିସ୍ମ୍ବୟ ସ୍ପିନର ଭାବେ ଟି-୨୦ ବିଶ୍ବକପ୍‌ ଦ‌ଳରେ ସ୍ଥାନ ପାଇଥିବା ବରୁଣ ଚକ୍ରବର୍ତୀ ବାଦ୍‌ ପଡ଼ିଥିଲା ରାହୁଲ ଚହରଙ୍କୁ ସୁଯୋଗ ମିଳିଛି ।

ରୋହିତଙ୍କୁ ଟି-୨୦ ଅଧିନାୟକ ଦାୟିତ୍ବ ଅର୍ପଣ କରାଯିବା ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ପାଇଁ ମଧ୍ୟ ଅଧିନାୟକ ନିଯୁକ୍ତ କରାଯିବ । କାରଣ ଏହି ଟେଷ୍ଟ୍‌ରୁ ଏବର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ସ୍ଥିର କରିସାରିଛି । କୋହଲି ନିଜ ଇଛାରେ ବିରତି ଚାହିଁଥିଲା ବେଳେ ସେ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ବେଳକୁ ଦଳକୁ ଫେରିବେ ବୋଲି ସଂକେତ ଦେଇଛନ୍ତି । ଫଳରେ ସେ ମୁମ୍ବାଇରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ରେ ଦଳର ନେତୃତ୍ବ ‌ନେବେ । ଗତ ଇଂଲଣ୍ଡ ଗସ୍ତରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସତ୍ତ୍ବେ ଏବର ଉପଅଧିନାୟକ ଆଜିଙ୍କ୍ୟ ରହାଣେ ପଦ ବଜାୟ ରଖିବେ। କାନପୁରରେ ପ୍ରଥମ ଏବଂ ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ୍‌ ଖେଳାଯିବ । ସବୁଠୁ ବଡ଼ କଥା ହେଲା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରୁ ହିଁ ରାହୁଲ ଦ୍ରାବିଡ୍‌ ନୂଆ ଦାୟିତ୍ବ (ମୁଖ୍ୟ ପ୍ରଶିକ୍ଷକ) ଗ୍ରହଣ କରିବେ । ତେଣୁ ଏହି ଶୃଙ୍ଖଳାରୁ ରାହୁଲ-ରୋହିତ ଯୋଡ଼ିକୁ ନେଇ ଭାରତୀୟ କ୍ରିକେଟ୍‌ ଆଗକୁ ବଢ଼ିବ ।

ଭାରତୀୟ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), ଈଶାନ କିଶନ (ୱିକେଟ୍‌ରକ୍ଷକ), ଭେଙ୍କଟେଶ ଆୟର, ୟୁଝ୍‌ବେନ୍ଦ୍ର ଚହଲ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଅକ୍ଷର ପଟେଲ. ଅଭେଶ ଖାନ୍‌, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ ।