ବିଶ୍ୱକପ୍ ପରେ ବିରାଟଙ୍କୁ ବିଶ୍ରାମ ! ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ଭାରତର ମଙ୍ଗ ଧରିପାରନ୍ତି ରୋହିତ ।

651

କନକ ବ୍ୟୁରୋ : ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ କେବଳ ଗୋଟିଏ ମ୍ୟାଚ୍ ଛାଡି ସବୁ ମ୍ୟାଚରେ ଦର୍ଶକଙ୍କ ହୃଦୟ ଜିଣି ବଡ ବଡ ଜିତ୍ ହାସଲ କରୁଥିବା ଟିମ୍ ଇଣ୍ଡିଆର, ସେମି ଫାଇନାଲରେ ଏଭଳି ପରାଜୟ ଶହେ କୋଟିି କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଭାଂଗି ଦେଇଛି । ଆଉ ଯେତେବେଳେ ଟିମ୍ ଇଣ୍ଡିଆ, ସେମିଫାଇନାଲରେ ହାରି ବିଶ୍ୱକପରୁ ବାଦ୍ ପଡିଛି, ତାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଦେଶବାସୀ । ଆଉ ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର ।

ଆସନ୍ତା ଅଗଷ୍ଟ ମାସ ୨୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ୍ ଖେଳିବ ଭାରତ । ଏଥିରେ ରହିଛି ଦୁଇଟି ଟେଷ୍ଟ ମ୍ୟାଚ୍, ତିନୋଟି ଦିନିକିଆ ଏବଂ ତିନୋଟି ଟି-ଟ୍ୱେଣ୍ଟି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ସିରିଜରୁ ବାଦ ପଡିପାରନ୍ତି ଅଧିନାୟକ ବିରାଟ କୋହଲି । କୁହାଯାଉଛି ବିଶ୍ୱକପ୍ ପରେ ବିରାଟଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି ବିସିସିଆଇ । ଆଉ ଏଥିପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ବିରାଟଙ୍କୁ ବିଶ୍ରାମ ଦେଇ ରୋହିତ ଶର୍ମାଙ୍କୁ ଅଧିନାୟକ କରିପାରେ ଟିମ୍ ଇଣ୍ଡିଆ ।

ଅନ୍ୟପକ୍ଷେ ଏହି ସିରିଜରୁ ନମ୍ବର ୱାନ୍ ବୋଲର ଜସପ୍ରିତ ବୁମରା ମଧ୍ୟ ବିଶ୍ରାମ ପାଇପାରନ୍ତି । ସେହିଭଳି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରେ ଆଜିଙ୍କ୍ୟ ରାହାଣେଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ । ମିଳିଥିବା ସୂଚନା ଅନୁଯାୟୀ, ଏହି ସିରିଜ ପାଇଁ ଦଳ ଘୋଷଣା ଆସନ୍ତା ୧୪ ତାରିଖ ଅର୍ଥାତ ଭାରତୀୟ ଦଳ ଇଂଲଣ୍ଡରୁ ଫେରିବା ପରେ କରାଯିବ । ସେହିପରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଭାରତ ଫେରିବା ପରେ ଧୋନୀ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।