ଆଇସିିସି ଟି-୨୦ ରାକିଙ୍ଗ: ଟପ୍ ୧୦ରୁ ବାହାରିଲେ ବିରାଟ କୋହଲି, ଦୁଇଟି ସ୍ଥାନ ଉପରକୁ ଉଠିଲେ ରୋହିତ ଶର୍ମା ।

252

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ଟି-୨୦ ସିରିଜ ଶେଷ କରିଛି । ଯେଉଁଥିରେ ଦଳ କ୍ଲିନ୍ ସୁଇପ୍ କରିଛି । ତେବେ ଏହାପରେ ଏବେ ସଦ୍ୟ ପ୍ରକାଶିତ ଟି-୨୦ ରାକିଙ୍ଗରେ ଦଳର ଅଧିନାୟକଙ୍କୁ ମିଳିଛି ବଡ ଫାଇଦା । ଆଇସିସି ଟି-୨୦ ରାକିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି ଟି-୨୦ ଅଧିନାୟକ ରୋହିତ ଶର୍ମା । ଅନ୍ୟପଟେ ବିରାଟ କୋହଲି ଏବେ ଟି-୨୦ ରାକିଙ୍ଗରେ ତଳକୁ ଖସିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ଅଧିନାୟକ ରୋହିତ ଶର୍ମା । ତିନୋଟି ଇଂନିସରେ ସେ ଦୁଇଟି ଅର୍ଦ୍ଧଶତକ ସହ ମ୍ୟାନ ଅଫ ଦ ସିରିଜ ଟ୍ରଫି ହାତେଇଥିଲେ । ତିନୋଟି ମ୍ୟାଚରେ ସେ ଯଥାକ୍ରମେ ୫୬,୫୫ ଓ ୪୮ ରନ୍ କରିଥିଲେ । ଏହାଫଳରେ ଏବେ ସେ ଆଇସିସି ଟି-୨୦ ରାକିଙ୍ଗର ୧୫ ତମ ସ୍ଥାନରୁ ଉଠି ଏବେ ୧୩ ତମ ସ୍ଥାନରେ ପହଞ୍ଚିଛନ୍ତି ।

ଅନ୍ୟପଟେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବେ ବି ଏହି ତାଲିକାର ନମ୍ବର ୱାନ ସ୍ଥାନରେ ଅଛନ୍ତି । ଏହା ପଛକୁ ଡେଭିଡ୍ ମଲାନ, ଏଡନ ମର୍କରମ ଓ ମହମ୍ମଦ ରିଜବାନ ରହିଛନ୍ତି । କେବଳ ଏକମାତ୍ର ଭାରତୀୟ କ୍ରିକେଟର ଭାବେ ଆଇସିସି ଟି-୨୦ ରାକିଙ୍ଗ ତାଲିକାରେ ରହିଛନ୍ତି କେ ଏଲ ରାହୁଲ । ସେ ରାକିଙ୍ଗର ୫ମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ବିରାଟ କୋହଲି ଏବେ ଟପ୍-୧୦ ତାଲିକାରୁ ବାହାରି ୧୧ ତମ ସ୍ଥାନରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଆଇସିସି ଟି-୨୦ ବୋଲିଂ ରାକିଙ୍ଗରେ ଟପ୍-୧୦ ଖେଳାଳିଙ୍କ ଭିତରେ କୌଣସି ଭାରତୀୟ ଖେଳାଳି ନାହାଁନ୍ତି । ସେହିଭଳି ଟିମଙ୍କ କଥା କହିଲେ ଭାରତ ଏବେ ବି ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଏବଂ ଇଂଲଣ୍ଡ ପ୍ରଥମ ସ୍ଥାନରେ ଅଛି ।