କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଏହି ରୋମାଞ୍ଚକର ମୁକାବିଲା ପୂର୍ବରୁ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଖୁସିଖବର ଦେଇଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭାରତର ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ନେଇ ବଡ ଅପଡେଟ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି ରୋହିତ । ନେଟ ପ୍ରାକ୍ଟିସ ସମୟରେ ରୋହିତଙ୍କ ହାତରେ ବଲ ବାଜିଥିଲା । ଫଳରେ କିଛି ସମୟ ଗ୍ରାଉଣ୍ଡରେ ବସି ରହିଥିଲେ ରୋହିତ । ପରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ରୋହିତ ଖେଳିବେ କି ନାହିଁ ତାହାକୁ ନେଇ ସଂଶୟ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ଉପରୁ ନିଜେ ରୋହିତ ପରଦା ହଟାଇଛନ୍ତି । ରୋହିତ କହିଛନ୍ତି, ଗତକାଲି ଅଭ୍ୟାସ ସମୟରେ ହାତରେ ବଲ ବାଜିଥିଲା କିନ୍ତୁ ଏବେ ସୁସ୍ଥ ଅନୁଭବ କରୁଛି । ଆଉ ରୋହିତଙ୍କ ଏହି ପଦିଏ କଥା ସଂକେତ ଦେଇଛି ଯେ, ରୋହିତଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

Advertisment

ସାମ୍ବାଦିକ ସମ୍ମିଳନୀରେ ଆଡିଲେଡ ମୈଦାନକୁ ନେଇ ରୋହିତ ଶର୍ମା କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ମୈଦାନରେ ଖେଳିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦୁବାଇରେ ଗ୍ରାଉଣ୍ଡ ଏକ ସମାନ ଥିଲା କିନ୍ତୁ ଏଠାରେ ପ୍ରତି ମ୍ୟାଚରେ ଭିନ୍ନ ବାତାବରଣରେ ଖେଳିବାକୁ ପଡୁଛି । ଆଡିଲେଡରେ ବାଉଣ୍ଡରୀ ବହୁତ ଛୋଟ । ତେଣୁ ଏଠାରେ ଖେଳିବା ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ଦଳ ଭଲ ଫର୍ମରେ ରହିଛି । ପ୍ରଥମରୁ ନିର୍ଭୟରେ ଖେଳିବାକୁ ନେଇ ରୋହିତ କହିଛନ୍ତି ପରିସ୍ଥିତି ଅନୁଯାୟୀ ଖେଳିବାକୁ ଚେଷ୍ଟା କରୁଛୁ । ଏହା ଆମ ପାଇଁ ଶ୍ରେଷ୍ଠ ସୁଯୋଗ । ଯାହା ଲକ୍ଷ୍ୟ ନେଇ ଆସିଛୁ ତାହାର ପ୍ରତିଫଳନ ପଡିଆରେ ଦେଖିବାକୁ ମିଳିବ । ଏହି ଲକ୍ଷ୍ୟ ହାସଲ କରିବା ଏକ ଲମ୍ବା ପ୍ରକ୍ରିୟା, ଯାହାକୁ ଆମେ ବଜାୟ ରଖିବାକୁ ଚେଷ୍ଟା କରିବୁ ।

ଅନ୍ୟପଟେ ବିଶ୍ୱକପରେ ଅକ୍ଷର ପଟେଲ ସେଭଳି କୌଣସି ଭଲ ପ୍ରଦର୍ଶନ କରିନାହାଁନ୍ତି । ତେଣୁ ତାଙ୍କ ଜାଗାରେ ଚହଲଙ୍କୁ ଦଳରେ ସୁଯୋଗ ଦେବାକୁ ଦାବି ହେଉଛି । ଏହା ଉପରେ ପ୍ରତିକ୍ରିୟା ଦେଇ ରୋହିତ କହିଛନ୍ତି, ଅକ୍ଷରଙ୍କୁ ନେଇ ଆମେ ଚିନ୍ତିତ ନାହୁଁ । ସେ ଅଧିକ ଓଭର ବୋଲିଂ କରିନାହାଁନ୍ତି । ତେବେ ଅଧିକାଂଶ ପିଚରେ ଫାଷ୍ଟ ବୋଲରଙ୍କୁ ସହାୟତା ମିଳିଛି, ଏହାସତ୍ତେ୍ୱ ସେ ଭଲ ବୋଲିଂ କରିଛନ୍ତି । ବିଶେଷକରି ପାୱାର ପ୍ଲେରେ ଅକ୍ଷର ପଟେଲ ଦମଦାର ବୋଲିଂ କରିଛନ୍ତି ବୋଲି ରୋହିତ କହିଛନ୍ତି ।

ସେହିଭଳି ସୂର୍ଯ୍ୟକୁମାରଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ବିଶ୍ୱକପରେ ସୂର୍ଯ୍ୟକୁମାର ନିଜର ପରିପକ୍ୱତା ଦେଖାଇବା ସହ ଭଲ ବ୍ୟାଟିଂ କରିଛନ୍ତି । ଯାହାକି ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କୁ ଭଲ ଖେଳିବାକୁ ପ୍ରେରଣା ଦେଇଛି । ସୂର୍ଯ୍ୟକୁମାର ବଡ ପଡିଆରେ ଖେଳିବାକୁ ପସନ୍ଦ କରନ୍ତି, ଯେଉଁ କାରଣରୁ ସେ ଏବେ ସଫଳ ହେଉଛନ୍ତି ବୋଲି ରୋହିତ କହିଛନ୍ତି ।

ଏସବୁ ଭିତରେ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଟାଇଟଲ ଦାବିଦାର ରହିଛି । ଲିଗ୍ ପର୍ଯ୍ୟାୟରେ କେବଳ ଦକ୍ଷିଣ ଆଫ୍ରିକାକୁ ଛାଡିଦେଲେ ଅନ୍ୟ ଦଳ ବିପକ୍ଷରେ ବିଜୟ ହାସଲ ସହ ସେମିଫାଇନାଲ ଟିକେଟ ହାତେଇଛି ରୋହିତ ବାହିନୀ । ସୂର୍ଯ୍ୟକୁମାର ଓ କୋହଲି ଜବରଦସ୍ତ ଫର୍ମରେ ଥିବା ବେଳେ ରାହୁଲ ମଧ୍ୟ ଜିମ୍ବାୱେ ବିପକ୍ଷ ୫୦ ରନର ଇନିଂସ ଖେଳିବା ସହ ଫର୍ମ ଫେରି ପାଇଛନ୍ତି । ଯାହା ଭାରତର ବିଜୟ ଆଶାକୁ ଦ୍ୱିଗୁଣିତ କରିଛି ।