କନକ ବ୍ୟୁରୋ : ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୪୪ ରନରେ ମାତ୍ ଦେଇ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ସିରିଜ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ମଧ୍ୟ ରୋହିତଙ୍କ ବ୍ୟାଟରୁ ସେଭଳି ବିଧ୍ୱଂସୀ ଇନିଂସ ଦେଖିବାକୁ ମିଳିନାହିଁ । ମାତ୍ର ୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ରୋହିତ । ଟିମ୍ ଇଣ୍ଡିଆ ସହଳ ୱିକେଟ ହରାଇଥିଲେ ମଧ୍ୟ ୨୩୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଉ ଏହି ଟାର୍ଗେଟକୁ ଡିଫେଣ୍ଡ କରିବାରେ ମଧ୍ୟ ରୋହିତ ସକ୍ଷମ ହୋଇଥିଲେ । ରୋହିତଙ୍କ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହିଁ ଭାରତକୁ ଏହି ବିଜୟ ଭେଟି ଦେଇଥିଲା । ଖାସକରି ବୋଲିଂ ସମୟରେ ରୋହିତଙ୍କ ତତ୍ପରତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପରିକି ଫିଲ୍ଡିଂ ସମୟରେ ନିଜର ସାଥୀ ଖେଳାଳୀଙ୍କୁ ରାଗିକି ପାଟି କରୁଥିବାର ଦେଖିବାକୁ ମିଳିଥିଲା ।

Advertisment

ଦ୍ୱିତୀୟ ଦିନିକିଆରେ ଭାରତ କମ ସ୍କୋର କରିଥିବା ବେଳେ ଉଭୟ ଫିଲ୍ଡିଂ ଓ ବୋଲିଂ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ସହ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ଅଧିନାୟକ ରୋହିତ ଶର୍ମା । ଆଉ ରୋହିତଙ୍କ ଏହି ରଣନୀତି ମଧ୍ୟ ବେଶ କାମ ଦେଇଥିଲା । ୱେଷ୍ଟଇଣ୍ଡିଜର ଅଧିକାଂଶ ଖେଳାଳୀ ବଡ ସ୍କୋର କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ଏହାସତ୍ତେ୍ୱ ମଧ୍ୟ ଭାରତ ନିଜର ବିଜୟକୁ ନେଇ ଶଙ୍କାରେ ରହିଥିଲା । କାରଣ ଭାରତ ଓ ବିଜୟ ମଝିରେ ପାଚେରୀ ହୋଇ ଛିଡା ହୋଇଥିଲେ ଓଡିୟନ ସ୍ମିଥ୍ । ବଡ ବଡ ସଟ୍ ଖେଳି ଭାରତ ହାତରୁ ବିଜୟ ଛଡାଇ ନେବାକୁ ପ୍ରୟାସ କରୁଥିଲେ ଓଡିୟନ ।

ତେବେ ମ୍ୟାଚର ୪୫ ତମ ଓଭରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ପାଟି କରୁଥିବାର ଦେଖିବାକୁ ମିଳିଥିଲା । ୪୫ତମ ଓଭର ଆରମ୍ଭରୁ ଫିଲ୍ଡିଂରେ ପରିବର୍ତ୍ତନ କରିଥିଲେ ରୋହିତ । ଚହଲଙ୍କୁ ବାଉଣ୍ଡରୀ ଲାଇନ ପଠାଇବାକୁ କହୁଥିଲେ ରୋହିତ । କିନ୍ତୁ ଚହଲ ବାଉଣ୍ଡରୀ ନିକଟକୁ ପୂରା ଧୀରେ ଧୀରେ ଯାଉଥିଲେ । ଆଉ ଏହା ଦେଖି କିଛି ସମୟ ପାଇଁ ଭୀଷଣ ବିରକ୍ତ ହୋଇଥିଲେ ରୋହିତ । ଆଉ ପଡିଆ ମଝିରେ କହିଥିଲେ, କଣ ହେଲା ତୁମର, ତୁ ବାଉଣ୍ଡରୀ ଲାଇନକୁ ଦୌଡୁ ନାହୁଁ କାହିଁକି? ଜଲଦି ସେଠାକୁ ଯାଅ । ଚହଲଙ୍କୁ ଏଭଳି କହୁଥିବାର ପୂରା ଭିଡ଼ିଓ କ୍ୟାମେରାରେ କଏଦ ହୋଇଥିଲା । ଆଉ କ୍ରିକେଟପ୍ରେମୀ ଏହାର ବେଶ ମଜା ଉଠାଇଥିଲେ । ସୋସିଆଲ ମିଡ଼ିଆରେ ଏବେ ରୋହିତଙ୍କର ସେହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।