ବିଶ୍ୱକପ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତଙ୍କ ବଡ ବୟାନ । ସାଥୀ ଖେଳାଳୀଙ୍କ ପାଇଁ ଦେଲେ ଗୁରୁମନ୍ତ୍ର, କହିଲେ… ।

228

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଶ୍ୱକପ ମହାକୁମ୍ଭ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ଫଟୋ ସେସନରେ ଏକାଠି ହୋଇଥିଲେ ୧୦ ଦଳର ଅଧିନାୟକ । ବିଶ୍ୱକପ ଫଟୋ ସେସନ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବଡ ବୟାନ ଦେଇଛନ୍ତି । ରୋହିତ କହିଛନ୍ତି, ଏବେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ସମୟ ଆସିଛି । ଭାରତ ସାମ୍ନାରେ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ନିଜ ହୋମଗ୍ରାଉଣ୍ଡରେ ବିଶ୍ୱକପ ଜିତିବା । ଭାରତୀୟ ଟିମ ୨ ଥର ବିଶ୍ୱକପ ଜିତିଛି । ତେଣୁ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ ।

ରୋହିତ କହିଛନ୍ତି, ମୁଁ ଭଲ ଭାବେ ଜାଣିଛି କି ବାଜିରେ କଣ ଲାଗିଛି । ଯେଉଁ ଖେଳାଳୀ ଦଳରେ ଅଛନ୍ତି ସେମାନଙ୍କୁ ମଧ୍ୟ ଭଲ ଭାବେ ଜଣା ଯେ, ଏବେ କଣ ବାଜିରେ ଲାଗିଛି । ଆମେ ସବୁକିଛି ଭୁଲି ଏବେ ତାହା ଉପରେ ଧ୍ୟାନ ଦେବା ଉଚିତ ଯାହା ଗୋଟିଏ ଟିମ୍ ହିସାବରେ ଆମେ ଚାହୁଁଛୁ । ଗତ ୩ଟି ବିଶ୍ୱକପରେ ଆୟୋଜକ ଦେଶ ବିଶ୍ୱକପ ଜିତିଛି । ଚଳିତ ବିଶ୍ୱକପ ଲମ୍ବା ଅବଧି ଧରି ଚାଲିବ ତେଣୁ ବେଶି ଆଗକୁ ଚିନ୍ତା ନ କରି ପ୍ରତି ମ୍ୟାଚ୍ ପାଇଁ ଚିନ୍ତା କରିବାର ଅଛି । ଲକ୍ଷ୍ୟ ଉପରେ ଧ୍ୟାନକେନ୍ଦ୍ରିତ କରିବା ଆମ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ । ଟିମ୍ ଇଣ୍ଡିଆର ଖେଳାଳୀ କୌଣସି ଚାପରେ ରହିବେନି ବୋଲି କହିଛନ୍ତି ରୋହିତ ।

କେବଳ ଏତିକି ନୁହେଁ ରୋହିତ କହିଛନ୍ତି, ଲୋକଙ୍କ ଆଶାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ପ୍ରତି ମ୍ୟାଚରେ ଆମ ସମସ୍ତଙ୍କ ଠାରୁ କିଛି ନା କିଛି ଆଶା ରହିଥାଏ । ତେଣୁ କିଏ ଖେଳୁଛି ଓ ବାହାରେ କଣ ହେଉଛି ଏବଂ ଲୋକେ କଣ କହୁଛନ୍ତି ସେ ବିଷୟରେ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏବେ ବାହାର ଦୁନିଆରୁ ଦୂରେଇବା ସହ ପ୍ରତ୍ୟେକ ଖେଳାଳୀ ଏକାଗ୍ରତାର ସହ ହାସଲ କରିବାକୁ ଥିବା ଲକ୍ଷ୍ୟ ଉପରେ ଧ୍ୟାନକେନ୍ଦ୍ରିତ କରନ୍ତୁ । ଦେଶ ହେଉ ବା ବିଦେଶ, ଆମ ଖେଳାଳୀ ଜାଣିଛନ୍ତି ଚାପରୁ କେମିତି ବାହାରକୁ ଆସିବାକୁ ହୁଏ । ଚାପ କେବେ ଖେଳାଳୀଙ୍କ ପିଛା ଛାଡିନଥାଏ । ଚାପ ସବୁବେଳେ ରହିବ, କିନ୍ତୁ ଏହାକୁ ଭୁଲିକରି କେବଳ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ ।

ଆସନ୍ତା ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ । ରୋହିତଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ହୋମଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଭାରତ ବିଶ୍ୱକପର ପ୍ରମୁଖ ଦାବିଦାର ରହିଛି । ଏହାପୂର୍ବରୁ ଶେଷଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତିଥିଲା ମେନ୍ ଇନ୍ ବ୍ଲୁ । ଏହାପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିଜ ମାଟିରେ ୨୦୧୫ ଓ ୨୦୧୯ରେ ଯଥାକ୍ରମେ ବିଶ୍ୱକପ ଜିତିଥିଲେ । ତେଣୁ ୨୦୨୩ରେ ଭାରତ ଏହି ଧାରା ଜାରି ରଖିବ ବୋଲି ଆଶା ରହିଛି । ଚଳିତ ବିଶ୍ୱକପ ରୋହିତଙ୍କର ଶେଷ ବିଶ୍ୱକପ ହୋଇପାରେ । ତେଣୁ ନିଜ ମାଟିରେ ବିଶ୍ୱକପ ଜିତି ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ ରୋହିତ ।