ପାକିସ୍ତାନ ବିପକ୍ଷ ମ୍ୟାଚରେ ଚାପରେ ରୁହେ କି ଟିମ୍ ଇଣ୍ଡିଆ? ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ ପୂର୍ବରୁ ବଡ ବୟାନ ଦେଲେ ଅଧିନାୟକ ରୋହିତ ଶର୍ମା ।

262

କନକ ବ୍ୟୁରୋ : ସୁପର ସଣ୍ଡେରେ ବିଶ୍ୱ ଦେଖିବ ସୁପର ସୋ’ । ମୁହାଁମୁହିଁ ଦୁଇ ଚିର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ପୂରା ବିଶ୍ୱ କ୍ରିକେଟପ୍ରେମୀଙ୍କ ନଜର ରହିଛି । କିଏ ବିଜୟୀ ହେବ ଓ କିଏ ପରାଜୟ ସହ ଅଭିଯାନ ଆରମ୍ଭ କରିବ ତାହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ତେବେ ଏହି ବଡ ମ୍ୟାଚ୍ ପୂର୍ବରୁ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ରୋହିତ କହିଛନ୍ତି, ଦୀର୍ଘ ୯ ବର୍ଷ ହେବ ଆମେ କୌଣସି ଆଇସିସି ଟ୍ରଫି ଜିତିପାରିନାହୁଁ । ଏହା ଆମ ଟିମ୍ ପାଇଁ ନିରାଶଜନକ କଥା ନିଶ୍ଚୟ । ଟି-୨୦ ବିଶ୍ୱକପରେ କିଭଳି ଭଲ ପ୍ରଦର୍ଶନ କରିବୁ ତାହା ହିଁ ଆମ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ଆମକୁ ସୁଯୋଗ ମିଳିବ, ଏହାର ସଦୁପଯୋଗ କରିବାର ଆବଶ୍ୟକତା ରହିଛି ।

ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଟିମ୍ ଇଣ୍ଡିଆ ଚାପରେ ରହିଛି କି ଏହି ପ୍ରଶ୍ନର ଅତି ସରଳ ଉତ୍ତର ରୋହିତ ରଖିଛନ୍ତି । ରୋହିତ କହିଛନ୍ତି, ଚାପ ଶବ୍ଦର ବ୍ୟବହାର କରିବାକୁ ମୁଁ ଚାହୁଁନାହିଁ । ପାକିସ୍ତାନ ଶକ୍ତିଶାଳୀ ଟିମ । କିନ୍ତୁ ଯିଏ ଭଲ ଖେଳିବ ସିଏ ହିଁ ଜିତିବ । ଏଭଳି କହି ଅତି ଚତୁରତାର ସହ ଏହି ପ୍ରଶ୍ନକୁ ଏଡାଇ ଯାଇଥିଲେ ରୋହିତ । ଗତ ଟି-୨୦ ବିଶ୍ୱକପ ଓ ଏସିଆ କପରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବା ପରେ କିଛି ଏଭଳି ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ଉଠିଥିଲା ଯାହାର ଜବାବ ଅତି ସରଳ ଢଙ୍ଗରେ ରଖିଛନ୍ତି ରୋହିତ ।

ଅନ୍ୟପଟେ ୨୦୨୩ରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହାକୁ ନେଇ ରୋହିତ କହିଛନ୍ତି, ଆମର ଫୋକସ କେବଳ ଟି-୨୦ ବିଶ୍ୱକପ ଉପରେ ରହିଛି । କାରଣ ଏହା ହିଁ ଆମ ଜରୁରୀ । ପରେ କଣ ହେବ ସେବାବଦରେ ଆମେ ଅଧିକ ଭାବୁନାହୁଁ । କାରଣ ଏହା ବାବଦରେ କଣ ଭାବିଲେ କିଛି ଲାଭ ନାହିଁ । ଏହାଛଡା ଏସିଆ କପକୁ ନେଇ ବିସିସିଆଇ ନିଷ୍ପତ୍ତି ନେବ । ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ରଣନୀତି ପ୍ରସ୍ତୁତ କରୁଛୁ । ଏହାପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହା ଏକ ବୟାନରେ କହିଥିଲେ ଯେ, ୨୦୨୩ରେ ହେବାକୁ ଥିବା ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିବନି ଟିମ୍ ଇଣ୍ଡିଆ । ଆଉ ଜୟ ଶାହାଙ୍କ ଏହି ବୟାନକୁ ନେଇ ଚିହିଁକି ଉଠିଥିଲା ପାକିସ୍ତାନ ।

ଏସବୁ ବ୍ୟତୀତ ରୋହିତ କହିଛନ୍ତି ମେଲବୋର୍ଣ୍ଣରେ ଟସ୍ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାରଣ ମେଲବୋର୍ଣ୍ଣରେ ପ୍ରତି କ୍ଷଣରେ ପାଣିପାଗ ବଦଳିଥାଏ । ମ୍ୟାଚରେ ଆଗକୁ କଣ ହେବ ସେ ବାବଦରେ ଅନ୍ଦାଜ ଲଗାଇବା କଷ୍ଟକର । କିନ୍ତୁ ପୂରା ୪୦ ଓଭର ପାଇଁ ଆମେ ରଣନୀତି ପ୍ରସ୍ତୁତ କରି ମୈଦାନକୁ ଓହ୍ଲାଇବୁ ବୋଲି ରୋହିତ କହିଛନ୍ତି । କିନ୍ତୁ ବର୍ଷା କାରଣରୁ ଯଦି କମ ଓଭରର ମ୍ୟାଚ୍ ହୁଏ ତେବେ ଏଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ରୋହିତ । ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଖେଳିଥିଲି । ଏହା ଭିତରେ ସମୟ ବଦଳିଛି । ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ମିଳିଛି । ଭାରତ ପାଇଁ ଖେଳିବା ହିଁ ମୋ ପାଇଁ ସବୁଠୁ ବଡ ଉପଲବ୍ଧି ଓ ସମ୍ମାନ ।