କନକ ବ୍ୟୁରୋ : ମ୍ୟାନ୍ ଇନ୍ ବ୍ଲୁର ମଙ୍ଗ ଧରିଲେ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା । ଟି-୨୦ ପରେ ଏବେ ଦିନିକିଆ ମ୍ୟାଚର ନେତୃତ୍ୱ ନେବେ ରୋହିତ୍ । ସେହିପରି ଟେଷ୍ଟରେ ରୋହିତଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । ଏହା ପୂର୍ବରୁ ଆଜିଙ୍କ୍ୟ ରାହାଣେ ଥିଲେ ଦଳର ଉପ ଅଧିନାୟକ । ବୁଧବାର ବିସିସିଆଇ ଏହି ଘୋଷଣା କରିଛି । ତେବେ ରୋହିତ କ୍ୟାପଟେନ ହେବା ପରେ ଆଗାମୀ ଦୁଇ ବର୍ଷ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ରହିଛି ।
ଏହି ସିରିଜ ରୋହିତଙ୍କ ପାଇଁ ପ୍ରଥମ ପରୀକ୍ଷା ରହିବ । ଯେଉଁ ସିରିଜ ଜିତି ସେ ତାଙ୍କର ଅଧିନାୟକତ୍ୱର ବିଜୟ ଯାତ୍ରା ଆରମ୍ଭ କରିବାକୁ ଚାହିଁବେ । ୨୦୨୨ରେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱ କପ୍ ଖେଳିବ । ସେହିପରି ୨୦୨୩ରେ ଭାରତରେ ଖେଳାଯିବ ବିଶ୍ୱକପ୍ । ନିକଟରେ ଦଳର କୋଚ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାହୁଲ ଦ୍ରାବିଡ୍ । ଏବେ ରାହୁଲ ଏବଂ ରୋହିତଙ୍କ ଯୋଡି ଦଳକୁ ସଫଳତାର ଶୀର୍ଷରେ ପହଂଚାଇବ ବୋଲି ଆଶା ରହିଛି ।
ବୁଧବାର ମନୋନୟନ କମିଟି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଟେଷ୍ଟ୍ ଦଳ ଘୋଷଣା କରିଥିଲା ବେଳେ ଆହତ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଏବଂ ଅକ୍ଷର ପଟେଲଙ୍କୁ ବାଦ୍ ଦେଇଛି । କୋହଲି ଟେଷ୍ଟ୍ ଦଳର ନେତୃତ୍ବ ଜାରି ରଖିବେ । ଅନ୍ୟପକ୍ଷରେ ଉପଅଧିନାୟକ ପଦରୁ ହଟିଥିଲେ ମଧ୍ୟ ରାହାଣେ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ସହିତ ଚେତେଶ୍ବର ପୂଜାରା ମଧ୍ୟ ଦଳରେ ରହିଛନ୍ତି । ହେଲେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ଉଭୟଙ୍କୁ ଶ୍ରେୟସ ଆୟର ଓ ହନୁମା ବିହାରୀଙ୍କଠୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିବ । କାରଣ କୋଭିଡ୍ ପରେ ପୁନଃଆରମ୍ଭ ହୋଇଥିବା କ୍ରିକେଟ୍ରେ ରହାଣେ ରନ୍ ପାଇଁ ସଂଘର୍ଷ କରୁଥିବା ବେଳେ ପୂଜାରା ସ୍କୋର୍ କରିବାରେ ଅସ୍ଥିର ପ୍ରଦର୍ଶନ କରୁଛନ୍ତି ।
ଅନ୍ୟପକ୍ଷରେ ଆୟର ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାରେ ପଦାର୍ପଣ କରି ଚମକ (ଶତକ ଓ ଅର୍ଦ୍ଧଶତକ) ଛାଡ଼ିଥିଲା ବେଳେ ବିହାରୀ ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ-ଏ ଦଳ ପକ୍ଷରୁ ୪ ଦିନିଆ ଟେଷ୍ଟ୍ ଶୃଙ୍ଖଳାରେ ଲଗାତାର ୩ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଶୃଙ୍ଖଳାରୁ ବିଶ୍ରାମ ପାଇଥିବା ଦୁଇ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଓ ମହମ୍ମଦ ସାମି ଦଳକୁ ଫେରିଛନ୍ତି ।
ଟେଷ୍ଟ୍ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ରିଦ୍ଧିମାନ ସାହା (ୱିକେଟ୍ରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ୍, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶ୍ପ୍ରୀତ୍ ବୁମ୍ରା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ।
Follow Us