ବିରାଟ କୋହଲିଙ୍କୁ ନେଇ ଖୁସି ନାହାଁନ୍ତି ବିସିସିଆଇ ଅଧିକାରୀ? ରୋହିତଙ୍କୁ ମିଳିପାରେ କ୍ୟାପଟେନ୍ ପଦ!

1,280

କନକ ବ୍ୟୁରୋ: ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଯାହାର ନେତୃତ୍ୱ ନେବେ ବିରାଟ କୋହଲି । ଜଣେ ଅଧିନାୟକ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଏବେ କୋହଲିଙ୍କ ପାଇଁ କର ବା ମର ସାବ୍ୟସ୍ତ ହୋଇପାରେ । କାହିଁକି ନା, ଏ ପର୍ଯ୍ୟନ୍ତ କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ଟ୍ରଫି ହାତେଇ ପାରିନାହାଁନ୍ତି । ଅନ୍ୟପଟେ ବିସିସିଆଇର କିଛି ଅଧିକାରୀ ମଧ୍ୟ କୋହଲିଙ୍କ ବଦଳରେ ରୋହିତଙ୍କୁ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ କରିବାକୁ ମତ ଦେଲେଣି ।

କ୍ରିକେଟ୍ ଏଡିଟର ଡଟ୍ କମ୍ ର ଏକ ରିପୋର୍ଟ ମୁତାବକ, ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ଜଣେ ଅଧିନାୟକ ଭାବେ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ସେ ଗତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇଥିଲେ ମଧ୍ୟ ଦଳକୁ କୌଣସି ଇଭେଣ୍ଟରେ ଚାମ୍ପିୟନ କରିପାରିନାହାଁନ୍ତି । ଯାହାକୁ ନେଇ ସେ ବହୁ ବାର ଅନେକ ସମାଲୋଚନାର ଶିକାର ହୋଇଛନ୍ତି । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଯଦି ଭାରତୀୟ ଦଳ ଫେଲ୍ ମାରେ ତେବେ ଏହାର କୋହଲିଙ୍କ ପାଇଁ ଅଧିନାୟକ ଭାବେ ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ ।

କ୍ରିକେଟ୍ ଏଡିଟର ୱେବସାଇଟର ଏହି ରିପୋର୍ଟ ମୁତାବକ, ବିସିସିଆଇର କିଛି ଶୀର୍ଷ ଅଧିକାରୀ ମଧ୍ୟ କୋହଲିଙ୍କ ଅଧିନାୟକତ୍ୱ ନେଇ ଖୁସି ନାହାଁନ୍ତି । ବିଶେଷକରି ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲରେ ପରାଜୟ ପରେ ଏହି ଅସନ୍ତୋଷ ବଢିବାରେ ଲାଗିଛି । ଫାଇନାଲ ମ୍ୟାଚରେ କୋହଲିଙ୍କ ଦଳ ଚୟନ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଏହି ଶୀର୍ଷ ଅଧିକାରୀମାନେ ମତ ଦେଇଛନ୍ତି ।

ଅନ୍ୟପଟେ କୋହଲିଙ୍କ ବଦଳରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି-୨୦ରେ ଭାରତୀୟ ଦଳର ନେତୃତ୍ୱ ଦେବାକୁ ଏହି ଅଧିକାରୀମାନେ ମତ ଦେଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପ୍ରତିଟି ସିଜିନର ଚମକ୍ରାର ପ୍ରଦର୍ଶନ କରିଆସୁଛି । ଖାଲି ସେତିକି ନୁହେଁ, ଦଳ ତାଙ୍କ ନେତୃତ୍ୱରେ ଅନେକ ବାର ଚାମ୍ପିୟନ ମଧ୍ୟ ହୋଇସାରିଲାଣି । ଅନ୍ୟପଟେ କିନ୍ତୁ କୋହଲିଙ୍କ ନେତୃତ୍ୱରେ ଆରସିବିର ପ୍ରଦର୍ଶନ ସେତେଟା ଭଲ ନାହିଁ । ତା ସହିତ ସୀମିତ ଓଭର ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସେଭଳି କରିସ୍ମା ଦେଖାଇ ପାରିନାହିଁ । ତେଣୁ କୋହିଲଙ୍କୁ ଛାଡି ଏବେ ରୋହିତଙ୍କୁ ଦଳର ଅଧିନାୟକ କରିବାର ବେଳ ଆସିଛି ବୋଲି ବିସିସିଆଇର କିଛି ଶୀର୍ଷ ଅଧିକାରୀ ମତ ରଖିଥିବା ଏହି ରିପୋର୍ଟରେ ସୂଚନା ଦିଆଯାଇଛି ।