ଶେଷ ଲିଗ୍ ମ୍ୟାଚରେ ସଞ୍ଜୁ ଓ ଜୟସ୍ୱାଲଙ୍କୁ ମିଳିବ କି ସୁଯୋଗ? ସୁପର-୮ ମ୍ୟାଚ୍ ପୂର୍ବରୁ କଣ ରହିବ ରୋହିତଙ୍କ ରଣନୀତି?

116

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତ ସୁପର-୮ରେ ନିଜର ସ୍ଥାନ ପକ୍କା କରିଥିବା ବେଳେ ଆଜି ଶେଷ ଲିଗ୍ ମ୍ୟାଚରେ କାନାଡକୁ ଭେଟିବ । ତେବେ ଏହି ମ୍ୟାଚ୍ ଭାରତ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ନଥିବା ବେଳେ ଆଜି ଚୂଡାନ୍ତ ଏକାଦଶରେ କାହାକୁ ସ୍ଥାନ ମିଳୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ୩ଟିରୁ ୩ଟି ମ୍ୟାଚ୍ ଭାରତ ବିଜୟୀ ହୋଇଛି ସତ କିନ୍ତୁ କୌଣସି ଖେଳାଳୀ ଏଯାଏଁ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି । ଏସବୁ ଭିତରେ ଆଜି ଯଶସ୍ୱୀ ଜୟସ୍ୱାଲ ଓ ସଞ୍ଜୁ ସାମସନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସୁପର-୮ ମ୍ୟାଚ୍ ପୂର୍ବରୁ କିଛି ଖେଳାଳୀଙ୍କୁ ନେଇ ପରୀକ୍ଷାନୀରିକ୍ଷା କରିପାରେ ଟିମ୍ ମ୍ୟାନେଜମେଣ୍ଟ ।

ଏବେ ଅଧିନାୟକ ରୋହିତଙ୍କ ସହ କୋହଲି ଓପନିଂ କରୁଛନ୍ତି । ତେଣୁ ଉଭୟଙ୍କ ମଧ୍ୟରୁ କେହି ବିଶ୍ରାମ ନେଲେ ଯଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ମିଳିପାରେ । ଏବେସୁଦ୍ଧା ବିରାଟଙ୍କ ବ୍ୟାଟରୁ ସେଭଳି ବଡ ଇନିଂସ ଆସିନଥିବା ବେଳେ ରୋହିତଙ୍କ ବ୍ୟାଟ ମଧ୍ୟ ଶାନ୍ତ ରହିଛି । ତେଣୁ ଦୁର୍ବଳ କାନାଡା ବିପକ୍ଷରେ କେହି ବିଶ୍ରାମ ନେଲେ ଯଶସ୍ୱୀଙ୍କ ପାଇଁ ବାଟ ଫିଟିବ । ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ମଧ୍ୟ ଏଯାଏଁ ବଡ ଇନିଂସ ଦେଖିବାକୁ ମିଳିନାହିଁ । ତେଣୁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇପାରେ ଟିମ୍ ମ୍ୟାନେଜମେଣ୍ଟ ।

୧୫ ଜଣିଆ ଟିମରେ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଥିଲେ ମଧ୍ୟ ଏଯାଏଁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ତେଣୁ କାନାଡା ବିପକ୍ଷ ମ୍ୟାଚରେ ୨ ସ୍ପିନରଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିପାରେ । ଯେହେତୁ ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନ ଅଲରାଉଣ୍ଡର ଦଳରେ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି ତେଣୁ ରୋହିତଙ୍କ ପାଇଁ କୁଳଦୀପ ଓ ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା କଠିନ ନିଷ୍ପତ୍ତି ହୋଇପାରେ ।