କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଥିବା ବେଳେ ଏବେ ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମରୁ ବାଦ ପଡିଥିବା ରୋହିତ ଶର୍ମାଙ୍କୁ ପୁଣିଥରେ ଦଳରେ ସାମିଲ ହେବାକୁ ଡାକରା ଆସିଛି । କେବଳ ଟେଷ୍ଟ ସିରିଜ ପାଇଁ ରୋହିତଙ୍କୁ ଦଳରେ ସାମିଲ କରାଯାଇଛି । ଏହାପଛର ସବୁଠୁ ବଡ କାରଣ ହେଲା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପରେ ଭାରତ ଫେରି ଆସିବେ କୋହଲି । ତେବେ ରୋହିତ ଦଳରେ ସାମିଲ ହୋଇଥିଲେ ମଧ୍ୟ ଟିମ୍ ଇଣ୍ଡିଆର ମେଡିକାଲ ଟିମ ହିଟମ୍ୟାନଙ୍କ ଫିଟନେସ ଉପରେ ନଜର ରଖିଛନ୍ତି ।

Advertisment

ଆସନ୍ତା ଜାନୁଆରୀରେ ବିରାଟ କୋହଲି ବାପା ହେବାକୁ ଯାଉଥିବା ବେଳେ ପତ୍ନୀ ଓ ପରିବାର ସହ ସମୟ ବିତାଇବାକୁ ଲମ୍ବା ଛୁଟିରେ ରହିପାରନ୍ତି କୋହଲି । ଏନେଇ ବିରାଟ ବୋର୍ଡକୁ ଜଣାଇଥିବା ବେଳେ ବୋର୍ଡ ପକ୍ଷରୁ ମଧ୍ୟ ବିରାଟଙ୍କ ନିଷ୍ପତ୍ତି ଉପରେ ମୋହର ମରାଯାଇଛି । ବିରାଟଙ୍କ ଅନୁପସ୍ଥିତିରେ ଅଭିଜ୍ଞ ଖେଳାଳି ଭାବେ ରୋହିତଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଛି ବୋଲି କ୍ରିକେଟ ବିଶେଷଜ୍ଞ କହିଛନ୍ତି । ତେବେ ଦିନିକିଆ କିମ୍ବା ଟି-୨୦ ଟିମରେ ରୋହିତଙ୍କୁ ସ୍ଥାନ ମିଳିନାହିଁ ।

publive-image

ଅନ୍ୟପଟେ ଆହତ ସମସ୍ୟା ପାଇଁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଟି-୨୦ ସିରିଜରୁ ବାଦ ପଡିଥିବା ବେଳେ ସନରାଇର୍ଜସ ହାଇଦ୍ରାବାଦର ଟି ନଟରାଜନଙ୍କୁ ଦଳରେ ସାମିଲ କରାଯାଇଛି । ସେହିଭଳି ସଞ୍ଜୁ ସାମସନଙ୍କୁ ଦିନିକିଆ ଦଳରେ ଅତିରିକ୍ତ ୱିକେଟ କିପର ଭାବେ ସାମିଲ କରାଯାଇଛି । ଅନ୍ୟପଟେ ୱିକେଟ ରିଦ୍ଧିମାନ ଶାହା ଆହତ ସମସ୍ୟା ପାଇଁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଖେଳିନଥିବା ବେଳେ ଦଳ ସହ ସେ ଗସ୍ତ କରିବେ କି ନାହିଁ ସେ ବାବଦରେ ପରେ ନିଷ୍ପତ୍ତି ନିଆଯିବ ।

ଆସନ୍ତା ନଭେମ୍ବର ୨୭ରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବା ସହ କରୋନା କାଳରେ ପ୍ରଥମ ଦ୍ୱିପାକ୍ଷିକ ଖେଳିବାକୁ ଯାଉଛି । ସେହିଭଳି ଡିସେମ୍ବର ୪ରୁ ଟି-୨୦ ସିରିଜ୍ ଓ ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ ଆରମ୍ଭ ହେବ ।