କନକ ବ୍ୟୁରୋ : ବିସ୍ଫୋରକ ବ୍ୟାଟିଂ ଓ ଦ୍ରୁତ ରନ୍ ସଂଗ୍ରହ ପାଇଁ ଜଣାଶୁଣା ଭାରତୀୟ ଅଧିନାୟକ ରୋହିତ ଶର୍ମା । ମୈଦାନରେ ରୋହିତ ଛକା ଓ ଚୌକା ସହ ଦ୍ରୁତ ରନ୍ ସଂଗ୍ରହ କରିବାରେ ମାହିର । ଏଥିପାଇଁ ରୋହିତଙ୍କ ବ୍ୟାଟିଂଶୈଳୀକୁ ଅଧିକ ପସନ୍ଦ କରନ୍ତି କ୍ରିକେଟପ୍ରେମୀ । କିନ୍ତୁ ମୈଦାନ ବାହାରେ ଏହି ଦ୍ରୁତ ଗତି ରୋହିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାଂଲାଦେଶ ମ୍ୟାଚ୍ ପୂର୍ବରୁ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ରୋହିତଙ୍କ ନାଁରେ ଚାଲାଣ କଟିଛି । ତାହା ବି ପୁଣି ୩ଟି ଟ୍ରାଫିକ୍ ଚାଲାଣ ।

Advertisment

ବାଂଲାଦେଶ ବିପକ୍ଷ ମ୍ୟାଚ୍ ପାଇଁ ରୋହିତ ମୁମ୍ବାଇରୁ ପୁଣେ ନିଜେ ଗାଡି ଚଳାଇ ଆସିଥିଲେ । ତାହା ବି ପୁଣି ୨୦୦ କିଲୋମିଟର ଘଣ୍ଟା ପ୍ରତି ବେଗରେ । ଏପରିକି ମଝିରେ ମଝିରେ ଗାଡିର ସ୍ପିଡ ଘଣ୍ଟାପ୍ରତି ୨୧୫ କିଲୋମିଟର ମଧ୍ୟ ଛୁଇଁଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସରେ ଏତେ ଅଧିକ ସ୍ପିଡରେ ଗାଡି ଚଳାଇବା କାରଣରୁ ରୋହିତଙ୍କ ନାଁରେ ୩ଟି ଅନଲାଇନ ଚାଲାଣ କଟିଛି । କାରଣ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଗାଡି ଚଳାଇବାର ନିୟମ ରହିଛି । କିନ୍ତୁ ଏହାଠାରୁ ଅଧିକ ସ୍ପିଡରେ ଗାଡି ଚଳାଇଲେ କ୍ୟାମେରାରେ ଏହା କଏଦ ହୋଇଥାଏ ଏବଂ ପରେ ଗାଡିର ମାଲିକଙ୍କ ନିକଟକୁ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଚାଲାଣ ଯାଇଥାଏ ।

ଆଇନ ଆଖିରେ ସମସ୍ତେ ସମାନ । ଯେଉଁଥିପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ତଥା ଭାରତର ଜଣାଶୁଣା କ୍ରିକେଟର ହୋଇଥିଲେ ମଧ୍ୟ ରୋହିତଙ୍କୁ ଟ୍ରାଫିକ ପୋଲିସଙ୍କ ଠାରୁ କୌଣସି ଛାଡ ମିଳିନଥିଲା । ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ରୋହିତଙ୍କ ନାଁରେ ଗୋଟିଏ ଦିନରେ ୩ଟି ଲେଖାଏଁ ଚାଲାଣ କଟିଛି । କାରଣ ଦ୍ରୁତ ଗତିରେ ଗାଡି ଚାଳନା କେତେ ଯେ ସାଂଘାତିକ ତାହା ପୂର୍ବରୁ ରିଷଭ ପନ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

୨୦୨୩ ଆରମ୍ଭରୁ ଦ୍ରୁତ ଗତିରେ କାର ଚାଳନା କାରଣରୁ ଡିଭାଇଡରରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ରିଷଭଙ୍କ ଜୀବନ । ଏଭଳି ସ୍ଥଳେ ବିଶ୍ୱକପ ସମୟରେ ରୋହିତଙ୍କର ଏଭଳି ବେପରୁଆ ହୋଇ କାର ଚଲାଇବାକୁ କ୍ରିକେଟପ୍ରେମୀ ନାପସନ୍ଦ କରିଛନ୍ତି । ରୋହିତ ଅନେକ ଯୁବବର୍ଗଙ୍କ ପାଇଁ ରୋଲମଡେଲ । ତେଣୁ ଟ୍ରାଫିକ ନିୟମ ଉଲ୍ଲଂଘନ କରି ରୋହିତ ଖରାପ ଉଦାହରଣ ସୃଷ୍ଟି ନ କରନ୍ତୁ ବୋଲି କ୍ରିକେଟପ୍ରେମୀ କହିଛନ୍ତି ।

ଚଳିତ ବିଶ୍ୱକପରେ ରୋହିତ ଦମଦାର ଫର୍ମରେ ରହିଛନ୍ତି । ୩ଟି ମ୍ୟାଚରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଭାରତର ଟପ୍ ସ୍କୋରର ରହିଛନ୍ତି । ରୋହିତଙ୍କ ବ୍ୟାଟରୁ ଏଭଳି ଦ୍ରୁତ ରନ୍ ଆସୁଥାଉ ବୋଲି ଭାରତୀୟ କ୍ରିକେଟପ୍ରେମୀ ଚାହୁଁଛନ୍ତି । କିନ୍ତୁ ଦ୍ରୁତ ଶୈଳୀ କେବଳ ପଡିଆ ଭିତରେ ହିଁ ସୀମିତ ରହୁ । ପଡିଆ ବାହାରେ ଦ୍ରୁତ ଗତିରେ କାର ଚଳାଇବା ରୋହିତଙ୍କ ପାଇଁ ଆଦୌ ଠିକ୍ ନୁହେଁ । କାରଣ ରିଷଭ ପନ୍ତଙ୍କ ଦୁର୍ଘଟଣା ଭଳି ଆଉ କୌଣସି ଅଘଟଣ ଭାରତୀୟ ଟିମର ଖେଳାଳୀଙ୍କ ସହ ନ ଘଟୁ ବୋଲି କ୍ରିକେଟପ୍ରେମୀ ଚାହାନ୍ତି ।