ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର । ଦଳକୁ ଫେରିବେ ରୋହିତ ଶର୍ମା, ସେପଟେ ଅନୁଷ୍କାଙ୍କ ଡେଲିଭେରି ପାଇଁ ଭାରତ ଫେରିବେ ବିରାଟ ।

416

କନକ ବ୍ୟୁରୋ : ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଫିଟନେସ୍ ଟେଷ୍ଟ ପାସ୍ କଲେ ରୋହିତ ଶର୍ମା । ଆଇପିଏଲରେ ଆହତ ହେବା ପରେ ଦିନିକିଆ ଓ ଟି-ଟ୍ୱେଂଟିରୁ ବାଦ୍ ପଡିଥିଲେ ରୋହିତ । ଏବେ ପୁଣି ସେ ଟିମକୁ ଫେରିବେ । ନିଜର ଫିଟନେସ୍ ପାଇବା ପାଇଁ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀରେ ଖୁବ ପରିଶ୍ରମ କରିଥିଲେ ହିଟ୍ ମ୍ୟାନ ରୋହିତ ଶର୍ମା । ରୋହିତଙ୍କୁ ଆଜି ଫିଟ୍ ଘୋଷଣା କରାଯାଇଛି ।

ୟୁଏଇରେ ଅୟୋଜିତ ଆଇପିଏଲ ଖେଳୁଥିବା ବେଳେ ରୋହିତ ଆହତ ହୋଇଥିଲେ । ତେଣୁ ଭାରତ ଫେରିବା ପରେ ସେ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଜାରି ରଖିଥିଲେ । ରୋହିତ ଫିଟନେସ ପରୀକ୍ଷାରେ ପାସ୍ ହେବା ପରେ ଶନିବାର ତାଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଯୋଜନା ରଖିଛି ବିିସିସିଆଇ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜିତ ହେବାକୁ ଥିବା ବେଳେ ରୋହିତ ଅଷ୍ଟ୍ରେଲିଆ ଗଲେ ଶେଷ ଦୁଇଟି ଟେଷ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବାର ସମ୍ଭାବନା ରହିଛି । କରୋନା ଭୂତାଣୁ ସଂକ୍ରମଣରେ ରୋହିତ ଅଷ୍ଟ୍ରେଲିଆ ଗଲେ ସେ ସିଧାସଳଖ ଦଳରେ ସାମିଲ ହୋଇପାରିବେ ନାହିଁ । ତାଙ୍କୁ ପ୍ରଥମେ ୧୪ଦିନିଆ ସଙ୍ଗରୋଧରେ ରହିବାକୁ ପଡିବ । ଏହାପରେ ନେଟସରେ ଅଭ୍ୟାସ କରି ସେ ଟେଷ୍ଟ ଖେଳିପାରିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୭ରୁ ଆଡିଲେଡରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ଆସନ୍ତା ୨୬ରୁ ମେଲବର୍ଣ୍ଣରେ ଖେଳାଯିବ । ତୃତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବାକୁ ଥିବା ବେଳେ ରୋହିତ ସେହି ଟେଷ୍ଟ ମ୍ୟାଚରେ ଖେଳିବାର ଆଶା ଅଛି । ସେପଟେ ଅନୁଷ୍କାଙ୍କ ଡେଲିଭେରି ପାଇଁ ଭାରତ ଫେରିବେ ବିରାଟ ।