କନକ ବ୍ୟୁରୋ : ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । କାରଣ ଟି-୨୦ ବିଶ୍ୱକପ ପରେ ଟି-୨୦ ଓ ଦିନିକିଆ ଫର୍ମାଟର ଅଧିନାୟକ ପଦ ଛାଡିପାରନ୍ତି କ୍ୟାପଟେନ କୋହଲି । ତେବେ ଏହି ସ୍ଥାନରେ ରୋହିତ ଶର୍ମାଙ୍କୁ ନୂଆ ଅଧିନାୟକ ଭାବେ ଦାୟିତ୍ୱ ମିଳିପାରେ । ନିଜ ବ୍ୟାଟିଂ ଉପରେ ଫୋକସ କରିବାକୁ ବିରାଟ ଏଭଳି ବଡ ନିଷ୍ପତ୍ତି ନେଇପାରନ୍ତି । ଅଷ୍ଟ୍ରେଲିଆ ଗସ୍ତ ପରେ ଏନେଇ ରୋହିତ ଓ ଟିମ୍ ମ୍ୟାନେଜମେଣ୍ଟ ସହ କୋହଲି ଆଲୋଚନା କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଏବେ ନିଜ ବ୍ୟାଟିଂ ଉପରେ ଅଧିକ ଫୋକସ କରିବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇପାରନ୍ତି ବିରାଟ । ଟିମ୍ ଇଣ୍ଡିଆ ସଫଳ ଅଧିନାୟକଙ୍କ ଭିତରେ ବିରାଟ ମଧ୍ୟ ଜଣେ । ବିରାଟଙ୍କ ଅଧିନାୟକତ୍ୱରେ ବଡ ବଡ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବେଶ ଭଲ ରହିଛି । କିନ୍ତୁ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ସୁଦ୍ଧା ଆଇସିସି ଟ୍ରଫି ଜିତି ପାରିନାହିଁ । ୨୦୧୭ ଚାମ୍ପିୟନ୍ସ ଟ୍ରଫି, ୨୦୧୯ ବିଶ୍ୱକପ, ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଖେଳିଥିଲେ ମଧ୍ୟ ଟାଇଟଲ ଜିତିବାରେ ଫେଲ ମାରିଛି ବିରାଟ ବାହିନୀ ।

ଅନ୍ୟପଟେ ରୋହିତ ଶର୍ମା ନିଜ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଚାମ୍ପିୟନ କରିଛନ୍ତି । ଏପରିକି ଅଧିନାୟକ ଭାବେ ରୋହିତଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି । କିନ୍ତୁ ବିରାଟ କୋହଲିଙ୍କ ନେତୃତ୍ୱରେ ଏଯାଏଁ ବାଙ୍ଗାଲୋର ଟିମ୍ ଆଇପିଏଲ ଟ୍ରଫି ମଧ୍ୟ ଜିତିନାହିଁ । ତେଣୁ ରୋହିତଙ୍କୁ ଟି-୨୦ ଓ ଦିନିକିଆ ଫର୍ମାଟ ପାଇଁ ଅଧିନାୟକ ଦାୟିତ୍ୱ ମିଳିପାରେ ।

ଗତ ୮ ବର୍ଷ ହେବ ଟିମ୍ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ । ଶେଷଥର ପାଇଁ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । କିନ୍ତୁ ଏହାପରେ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଯାଇ ମଧ୍ୟ ଟ୍ରଫି ଜିତିବାରେ ବିଫଳ ହୋଇଛି । ଏସବୁ ଭିତରେ ଚଳିତ ଟି-୨୦ ବିଶ୍ୱକପକୁ ଛାଡିଥିଲେ ଆଗାମୀ ୨ ବର୍ଷ ମଧ୍ୟରେ ୨ଟି ବିଶ୍ୱକପ ଖେଳାଯିବ । ୨୦୨୨ରେ ଟି-୨୦ ବିଶ୍ୱକପ ଓ ୨୦୨୩ରେ ଭାରତରେ ବିଶ୍ୱକପ ହେବାକୁ ଯାଉଛି । ତେଣୁ ରୋହିତ ଶର୍ମାଙ୍କୁ ଏବେଠୁ ଦାୟିତ୍ୱ ମିଳିଲେ ଟିମ୍ ମଧ୍ୟରେ ସମନ୍ୱୟ ରହିପାରିବ । ମିଳିଥିବା ସୂତ୍ର ମୁତାବକ, ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ନେଇ ନିଜେ ବିରାଟ କୋହଲି ଘୋଷଣା କରିପାରନ୍ତି । ତେବେ ଟି-୨୦ ଓ ଦିନିକିଆକୁ ଛାଡିଦେଲେ ଟେଷ୍ଟ ଟିମର କ୍ୟାପଟେନ ଦାୟିତ୍ୱ ବିରାଟ କୋହଲିଙ୍କ ପାଖରେ ରହିବ ।