IPL ୨୦୨୧ : ଆବୁଧାବିରେ ପହଞ୍ଚିଲେ ରୋହିତ, ବୁମରା, ସୂର୍ଯ୍ୟକୁମାର, ସମସ୍ତଙ୍କର କରୋନା ରିପୋର୍ଟ ନେଗେଟିଭ ।

254

କନକ ବ୍ୟୁରୋ : ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ୍ । ପଞ୍ଚମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଭାରତୀୟ ଟିମର ଖେଳାଳୀ ମାନେ ମଧ୍ୟ ମାଞ୍ଚେଷ୍ଟରରୁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ଦୁବାଇରେ ପହଞ୍ଚିଛନ୍ତି । ମୁମ୍ବାଇ ଟିମ୍ ପକ୍ଷରୁ ଚାର୍ଟର ବିମାନ ପଠାଇ ଖେଳାଳୀଙ୍କୁ ମାଞ୍ଚେଷ୍ଟରରୁ ଦୁବାଇ ଅଣାଯାଇଛି । ମୁମ୍ବାଇ ପକ୍ଷରୁ ପଠାଯାଇଥିବା ବିମାନରେ ଅଧିନାୟକ ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡରୁ ଫେରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏହି ୩ ଖେଳାଳୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ । ୩ ଖେଳାଳୀ ଆବୁଧାବିରେ ପହଞ୍ଚିବା ପରେ ଟ୍ୱିଟ କରି ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ନିଜ ପରିବାର ସହ ଖେଳାଳୀ ମାନେ ଇଂଲଣ୍ଡରୁ ଫେରିଛନ୍ତି । ଆଉ ମୁମ୍ବାଇରୁ ଆସି ପହଞ୍ଚିବା ପରେ ସମସ୍ତଙ୍କୁ ୬ ଦିନିଆ ସଙ୍ଗରୋଧରେ ରଖାଯାଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି ଯେ, ମାଞ୍ଚେଷ୍ଟରରୁ ୟୁଏଇ ଅଭିମୁଖେ ଯାତ୍ରା ପୂର୍ବରୁ ୩ ଖେଳାଳୀ ଓ ସେମାନଙ୍କ ପରିବାରର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଆଉ ସମସ୍ତ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏପରିକି ଆବୁଧାବିରେ ପହଞ୍ଚିବା ପରେ ମଧ୍ୟ ଯେଉଁ କରୋନା ଟେଷ୍ଟ ହୋଇଥିଲେ ସେଥିରେ ମଧ୍ୟ ଖେଳାଳୀଙ୍କର ରିପୋର୍ଟ ନେଗେଟିଭ ଆସିଛି । ଯାହା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି । ଆସନ୍ତାକାଲି ଆରସିବି ମଧ୍ୟ ନିଜ ଖେଳାଳୀଙ୍କୁ ଚାର୍ଟର ପ୍ଲେନରେ ମାଞ୍ଚେଷ୍ଟରରୁ ଆବୁଧାବିକୁ ଆଣିବ । ଆରସିବିର ଅଧିନାୟକ ବିରାଟ କୋହଲି ଓ ମହମ୍ମଦ ସିରାଜ ଚାର୍ଟର ପ୍ଲେନ ଯୋଗେ ଆବୁଧାବି ଫେରିବେ ।