କନକ ବ୍ୟୁରୋ: ଯେବେ ଚାଲେ ରୋହିତଙ୍କ ବ୍ୟାଟ, ସେବେ ଭାଙ୍ଗିଯାଏ ବଡ ବଡ ରେକର୍ଡ । ଯାହା ସେ ନିଜେ ପ୍ରମାଣ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଗର୍ଜିଛି ହିଟ୍ ମ୍ୟାନଙ୍କ ବ୍ୟାଟ । ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇବା ସହ ଅନେକ ରେକର୍ଡର ଅଧିକାରୀ ସେ ହୋଇଛନ୍ତି । ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ମଧ୍ୟ କରିଛନ୍ତି । ଯେଉଁଥିପାଇଁ କ୍ୟାପେଟନ ରୋହିତଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ।

Advertisment

ଭାରତ-ଆଫଗାନିସ୍ତାନ ବିଶ୍ୱକପ ମ୍ୟାଚରେ ଆଜି ନୂଆ କୀର୍ତିମାନ ଓ ଅନେକ ରେକର୍ଡ କରିଛନ୍ତି ରୋହିତ ଶର୍ମା । ସେ ଶତକ ମାରି ଇତିହାସ ରଚିଛନ୍ତି । ୬୩ଟି ବଲରେ ଶତକ କରି ସେ ନୂଆ ରେକର୍ଡ କରିଛନ୍ତି । ବିଶ୍ୱକପରେ ଦ୍ରୁତ ଶତକ ମାରିବାରେ ପ୍ରଥମ ଭାରତୀୟ ଖେଳାଳି ବନିଛନ୍ତି ରୋହିତ । ଏହାସହ କପିଳ ଦେବଙ୍କ ରେକର୍ଡ ସେ ଭାଙ୍ଗିଛନ୍ତି । ରୋହିତ ଶର୍ମା ଅଷ୍ଟ୍ରେଲିଆ ଖେଳାଳି ରିକି ପଂଟିଂଙ୍କ ରେକର୍ଡ ବି ଭାଙ୍ଗିଛନ୍ତି । ଏକଦିବସୀୟ ମ୍ୟାଚରେ ସର୍ବାଧିକ ଶତକ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସେ ୪୯ଟି ଶତକ ମାରିଛନ୍ତି । ବିରାଟ କୋହଲି ୪୭ଟି ଶତକ କରିଥିବାବେଳେ ରୋହିତ ଶର୍ମା ୩୧ ଶତକ ମାରିଛନ୍ତି । ରିକି ପଂଟିଂଙ୍କ ନାଁରେ ୩୦ ଶତକ ଥିବାବେଳେ ଶ୍ରୀଲଙ୍କାର ସନଥ ଜୟସୂରିଆ ୩୦ ଶତକ ମାରିଛନ୍ତି ।

ସେହିପରି ବିଶ୍ୱକପରେ ସର୍ବାଧିକ ଶତକ ମାରିବାର ରେକର୍ଡ କରିଛନ୍ତି ରୋହିତ । ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା । ସେ ୬ଟି ଶତକ ମାରିଥିଲେ । ରୋହିତ ଶର୍ମା ଏବେ ୭ଟି ଶତକ ମାରିବାର ରେକର୍ଡ କରିଛନ୍ତି । ଏହାସହ ବିଶ୍ୱକପରେ ମିଳିତ ଭାବେ ଦ୍ରୁତ ଏକହଜାର ରନ କରିବାର ବ୍ୟାଟର୍ ବନିଛନ୍ତି ରୋହିତ ଶର୍ମା । ରୋହିତ୍ ଓ ଡେଭିଡ୍ ୱାର୍ଣ୍ଣର ୧୯ଟି ଇନିଂସରେ ଏକ ହଜାର ରନ୍ କରିଛନ୍ତି । ଏହାସହ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକାର ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି । ସେ କ୍ରିସ ଗେଲ୍ଙ୍କ ୫୩୩ ଛକାର ରେକର୍ଡ ଭାଙ୍ଗିଛନ୍ତି ।

ତେବେ କ୍ରିକେଟ ବିଶ୍ୱକପରେ ଏହା ଭାରତର ଦ୍ୱିତୀୟ ମ୍ୟାଚ । ଲଗାତାର ଭାରତ ଦୁଇଟି ମୟାଚ ଜିତି ସାରିଛି । ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ତେବେ ତୃତୀୟ ମ୍ୟାଚ ଅକ୍ଟୋବର ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ । ଏହି ମ୍ୟାଚ ହାଇଭୋଲ୍ଟେଜ ରହିବ । ପାକିସ୍ତାନ ବିପକ୍ଷରେ ବି ବଡ ବିଜୟ ପାଇଁ ପ୍ରସ୍ତୁତ ହୋଇସାରିଲେଣି ରୋହିତ ବାହିନୀ ।