ଟି-୨୦ରୁ ଅବସର ନେବାକୁ ଚାହୁଁନଥିଲେ ରୋହିତ, କିନ୍ତୁ ଅଚାନକ କାହିଁକି ବଦଳିଲା ନିଷ୍ପତ୍ତି । ଗଣମାଧ୍ୟମ ସାମ୍ନାରେ ନିଜେ କହିଲେ ବିଶ୍ୱବିଜୟୀ ଅଧିନାୟକ ।

3,448

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍ ଇଣ୍ଡିଆ ଟି-୨୦ ଫର୍ମାଟରେ ବିଶ୍ୱବିଜୟୀ ହୋଇଛି । ରୋହିତଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ଚାମ୍ପିୟନ ହୋଇଛି । ବିଶ୍ୱକପ ବିଜୟ ସହ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଛନ୍ତି କୋହଲି ଓ ରୋହିତ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ କହିଛନ୍ତି, ବିଶ୍ୱକପ୍ ବିଜୟ ସହ ଅବସର ନେବାଠାରୁ ଭଲ ଆଉ କଣ ହୋଇପାରେ ।

ମ୍ୟାଚ୍ ପରେ ରୋହିତ କହିଛନ୍ତି, ମୁଁ ନିଜ ଭବିଷ୍ୟତ ବାବଦରେ ଏଭଳି ନିଷ୍ପତ୍ତି ନିଏ ନାହିଁ । ମୋତେ ଯାହା ହୃଦୟରୁ ଭଲ ଲାଗେ ତାହା କରେ । ଆଗକୁ କଣ ହେବ ସେ ବାବଦରେ ଅଧିକ ଚିନ୍ତା ମଧ୍ୟ କରେନି । ମୁଁ ପୂର୍ବ ଦିନିକିଆ ବିଶ୍ୱକପ ଖେଳିବା ବେଳେ ଭାବିନଥିଲି ଯେ, ଏଥର ମଧ୍ୟ ବିଶ୍ୱକପ ଖେଳିବି । ମୁଁ କେବେ ଭାବିନଥିଲି ସେ ଟି-୨୦ରୁ ସନ୍ୟାସ ନେବି ବୋଲି । କିନ୍ତୁ ଏବେ ଉଚିତ ସମୟ । ବିଶ୍ୱକପ ଜିତି ବିଦାୟ ନେବା ସବୁଠୁ ଭଲ । ଯାହା ଲେଖା ହୋଇଛି ତାହା ନିଶ୍ଚୟ ହେବ । ଭାରତ ବିଶ୍ୱକପ ଜିତିବ ଏହା ଲେଖାଥିଲା କିନ୍ତୁ ତାହା ଆମକୁ ଜଣାନଥିଲା । ଯଦି ଆମକୁ ଜଣାଥାନ୍ତା ତେବେ ବେଶି ଚିନ୍ତା ନକରି କହିଥାନ୍ତୁ ଯେ, ପୂର୍ବରୁ ଲେଖା ଅଛି ମାନେ ନିଶ୍ଚୟ ହେବ । ଗୋଟିଏ ସମୟରେ ଆମେ ମ୍ୟାଚରେ ବହୁତ ପଛୁଆ ଥିଲୁ ଏବଂ ଭାବୁଥିଲୁ ଯେ ଦକ୍ଷିଣ ଆଫ୍ରିକା ବେଶ ସହଜରେ ମ୍ୟାଚ୍ ଜିତିଯିବ ।

୨୦୦୭ରେ ଯେତେବେଳେ ଟି-୨୦ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଭାରତ ବିଜୟୀ ହୋଇଥିଲା ଏବଂ ଏବେ ବିଶ୍ୱକପ ବିଜୟୀ ହେବା ସହ ବିଦାୟ ନେଉଛି । ଜୀବନର ଇଚ୍ଛା ପୂର୍ଣ୍ଣ ହୋଇଗଲା । ଏହି ଉପଲବ୍ଧି ପାଇଁ ମୁଁ ବହୁତ ଖୁସି । ୨୦୦୭ରେ ବିଶ୍ୱକପ ଜିତିବା ବେଳେ ମୋତେ ୨୦ ବର୍ଷ ହୋଇଥିଲା । ସେତେବେଳେ ମୁଁ ୫ ନମ୍ବର ନଚେତ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିଲି । ତେଣୁ ସବୁବେଳେ ସାଥୀ ଖେଳାଳୀଙ୍କୁ କୁହେ ଯେ , ମିଳିଥିବା ଦାୟିତ୍ୱକୁ ସଠିକ୍ ଢଙ୍ଗରେ ତୁଲାନ୍ତୁ । ଏବେ ମୁଁ ଖେଳକୁ ବେଶ ଭଲ ଭାବରେ ବୁଝି ସାରିଛି । ମୁଁ ସବୁବେଳେ ଭାରତ ପାଇଁ ମ୍ୟାଚ୍ ଓ ଟ୍ରଫି ଜିତିବାକୁ ପ୍ରୟାସ କରିଥାଏ । ଯାହା ଆଜି ସଫଳ ହୋଇଛି । ଏହା ଶ୍ରେଷ୍ଠ ବିଜୟ କି ନାହିଁ ତାହା ଜାଣେନା କିନ୍ତୁ ଶ୍ରେଷ୍ଠ ମ୍ୟାଚ୍ ମଧ୍ୟରୁ ଏହା ଗୋଟିଏ ମ୍ୟାଚ୍ ତାହା ସତ ।