କନକ ବ୍ୟୁରୋ : ବିଶ୍ୱକପରେ ରେକର୍ଡ ପରେ ରେକର୍ଡ କରି ଚାଲିଥିବା ରୋହିତ ଶର୍ମା ପୁଣି ଥରେ ବଡ ପଣିଆ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି, ବ୍ୟକ୍ତିଗତ ସଫଳତା ନୁହେଁ ବିଶ୍ୱକପ ଜିତିବା ଲକ୍ଷ୍ୟ ହେବା ଦରକାର । ଚଳିତ ବିଶ୍ୱକପରେ ୫ଟି ଶତକ ସହ ସର୍ବାଧିକ ରନ୍ କରିଥିବା ରୋହିତ କହିଛନ୍ତି ଶତକୀୟ ଇନିଂସ ଖେଳିବା ବଡ କଥା ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୁଲାଇ ୧୪ରେ ଖେଳାଯିବାକୁ ଥିବା ଫାଇନାଲରେ ଟ୍ରଫି ହାସଲ କରିବା ।

Advertisment

ଏବେ ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା । ତାଙ୍କ ବ୍ୟାଟିଂ ଓ ରେକର୍ଡକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଗୁରୁତ୍ୱ ଦେଇନାହାନ୍ତି ରୋହିତ । ଶନିବାର ଦିନ ଶ୍ରୀଲଙ୍କା ବିରୋଧରେ ଶତକ ହାସଲ କରିବା ସହ ଗୋଟିଏ ବିଶ୍ୱକପରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ହାସଲ କରିଛନ୍ତି ହିଟ୍ ମ୍ୟାନ୍ । କିନ୍ତୁ ରୋହିତଙ୍କ ଲକ୍ଷ୍ୟ ଆହୁରି ଅଧିକ ।

publive-imageପ୍ରତିପକ୍ଷ ଦଳର ବୋଲରମାନଙ୍କୁ ଯେତିକି ନିର୍ଦୟ ଭାବେ ଏହି ବ୍ୟାଟ୍ସମ୍ୟାନ ପ୍ରହାର କରନ୍ତି, ଦଳର ଲକ୍ଷ୍ୟକୁ ଠିକ୍ ସେତିକି ଗୁରୁତ୍ୱ ଦିଅନ୍ତି ରୋହିତ୍ । ସେଥିପାଇଁ ସେ କହିଛନ୍ତି, ବିଶ୍ୱକପ୍ ଟ୍ରଫି ହାସଲ ନକରିବା ଯାଏଁ ତାଙ୍କ ପାଇଁ ଏସବୁ ରେକର୍ଡର କୌଣସି ମାନେ ନାହିଁ । ନିଜ ସଫଳତା ନେଇ ରୋହିତଙ୍କ ମତ ହେଉଛି ପ୍ରତି ମ୍ୟାଚକୁ ପ୍ରଥମ ମ୍ୟାଚ ଭାବେ ଦେଖନ୍ତି ଏବଂ ସଠିକ ସଟ୍ ଚୟନ ତାଙ୍କୁ ବଡ ସ୍କୋର ଦେଇଛି ।

ଚଳିତ ବିଶ୍ୱକପରେ ପଏଂଟ ଟେବୁଲରେ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ଭାରତ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ, ତୃତୀୟରେ ଇଂଲଣ୍ଡ ଏବଂ ଚତୁର୍ଥରେ ନ୍ୟୁଜିଲାଣ୍ଡ । ତେଣୁ ଆସନ୍ତା ୯ ତାରିଖରେ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡରେ ପ୍ରଥମ ସେମିଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଦମଦାର ମୁକାବିଲା । ଅନ୍ୟପଟେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆ ।