ଯେବେ ରୁମରେ ନିଜକୁ ଲକ୍ କରି ଏକାକୀ ବହୁତ କାନ୍ଦିଥିଲେ ହିଟମ୍ୟାନ୍ ରୋହିତ ଶର୍ମା । କିନ୍ତୁ କାହିଁକି?

586

କନକ ବ୍ୟୁରୋ : ଟିମ ଇଣ୍ଡିଆର ଅଧିନାୟକ ତଥା ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ କିଏ ବା ନଜାଣେ । ଦୁଦ୍ଦର୍ଷ ବ୍ୟାଟିଂ ପାଇଁ ପରିଚିତ ଥିବା ରୋହିତଙ୍କ ବାବଦରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା କ୍ରିକେଟପ୍ରେମୀଙ୍କୁ ଚକିତ କରିଦେବ । ନିଜ କ୍ରିକେଟ କ୍ୟାରିୟରରେ ରୋହିତ ଶର୍ମା ଗୋଟିଏ ସମୟରେ ଡିପ୍ରେସନକୁ ଚାଲି ଯାଇଥିଲେ । ଏପରିକି ନିଜକୁ ଗୋଟିଏ ରୁମରେ ବନ୍ଦ କରି ବହୁତ କାନ୍ଦିଥିଲେ । ଏଭଳି ଏକ ସମୟରେ ରୋହିତଙ୍କ ସାଥୀରେ ଛିଡା ହୋବକୁ କେହି ବି ନଥିଲେ । କିନ୍ତୁ ଜଣେ ଏମିତି ଖେଳାଳୀ ଥିଲେ ଯିଏ ଏଭଳି ସମୟରେ ରୋହିତଙ୍କ ସାଥ୍ ଦେଇଥିଲେ । ଆଉ ସେବେଠାରୁ ରୋହିତ କେବେ ପଛକୁ ଫେରି ଚାହିଁନାହାନ୍ତି । ଏଭଳି ଏକ ଖୁଲାସା କରିଛନ୍ତି ଭାରତୀୟ ମହିଳା କ୍ରିକେଟର ଜେମିମା ।

ଭାରତୀୟ ମହିଳା କ୍ରିକେଟର ଜେମିମା ଏକ ସୋ’ରେ ରୋହିତଙ୍କ ବାବଦରେ ଏଭଳି କିଛି ଖୁଲାସା କରିଛନ୍ତି । ଜେମିମା କହିଛନ୍ତି କିଛି ଏଭଳି ଅକୁହା କଥା ଯାହା ରୋହିତଙ୍କ ସହ ଆଲୋଚନା ବେଳେ ଜାଣିବାକୁ ପାଇଲି । ୨୦୧୧ ବିଶ୍ୱକପ ଟିମରେ ରୋହିତଙ୍କ ସିଲେକ୍ସନ ନହେବା କାରଣରୁ ସେ ବେଶ ଭାଙ୍ଗି ପଡିଥିଲେ । ଏନେଇ ଜେମିମା କହିଛନ୍ତି, ମୁଁ ରୋହିତଙ୍କୁ ପଚାରିଥିଲି ୨୦୧୧ ବିଶ୍ୱକପରେ ସିଲେକ୍ସନ ନହେବା ସତ୍ତେ୍ୱ ମଧ୍ୟ ଏବେ ଟିମର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଏଭଳି ହେବ ବୋଲି କେବେ ଭାବିଥିଲେ? ଏହାର ଉତ୍ତରରେ ରୋହିତ କହିଛନ୍ତି, କାହାକୁ ଜଣାନାହିଁ ଯେ, ସେତେବେଳେ ମୁଁ କେଉଁଭଳି ମାନସିକ ସ୍ଥିତି ଦେଇ ଗତି କରୁଥିଲି ।

ଜେମିମା କହିଛନ୍ତି, ରୋହିତଙ୍କ ଏଭଳି କଷ୍ଟଦାୟକ ସମୟରେ କେବଳ ଭାରତୀୟ କ୍ରିକେଟର ଭାବେ ଯୁବରାଜ ସିଂ ତାଙ୍କ ସାଥ୍ ଦେଇଥିଲେ । ଯୁବରାଜ ତାଙ୍କ ପାଖକୁ ଆସିବା ସହ ଡିନରରେ ନେଇଥିଲେ । ଯୁବରାଜଙ୍କ ବ୍ୟତୀତ ଆଉ କେହି ବି ତାଙ୍କୁ ସାହସ ଦେବାକୁ ଆସିନଥିଲେ । ଯେତେବେଳେ ମୁଁ କାନ୍ଦିଥିଲି, ଯୁବରାଜ ମଧ୍ୟ କାନ୍ଦି ପକାଇଥିଲେ । ତାପରେ ରୋହିତ କହିଥିଲେ, ମୋତେ କାହା ପାଖରେ ନିଜକୁ ପ୍ରମାଣିତ କରିବାର ଆବଶ୍ୟକତା ନାହିଁ । କେବଳ କ୍ରିକେଟ ଖେଳର ମଜା ଉଠାଇବା ପାଇଁ ମୁଁ ଚାହୁଁଛି ।

୨୦୧୧ ବିଶ୍ୱକପ ଦଳରେ ରୋହିତ ବଦଳରେ କୋହଲିଙ୍କର ଚୟନ ହୋଇଥିଲା । କାରଣ ରୋହିତ ସେତେବେଳେ ଫର୍ମରେ ନଥିଲେ । ଚୟନ ପୂର୍ବରୁ ଶେଷ ୧୨ଟି ମ୍ୟାଚରେ ରୋହିତଙ୍କ ବ୍ୟାଟରୁ ଗୋଟିଏ ବି ଅର୍ଦ୍ଧଶତକ ଆସିନଥିଲା । ତେଣୁ ବିଶ୍ୱକପ ଦଳରେ ତାଙ୍କ ନାଁ ଚୟନ ପାଇଁ ବିଚାରକୁ ମଧ୍ୟ ନିଆଯାଇନଥିଲା । ରୋହିତ ଏହାକୁ ନେଇ ନିରାଶ ହୋଇଥିଲେ ସତ କିନ୍ତୁ ବାସ୍ତବ କଥା ହେଲା ସେତେବେଳେ ତାଙ୍କର ଫର୍ମ ନଥିଲା । କିନ୍ତୁ ୨୦୧୧ ବିଶ୍ୱକପ ପରେ ରୋହିତ ଭାରତୀୟ କ୍ରିକେଟର ନୂଆ ଉଦୀୟମାନ ତାରକା ଭାବେ ଉଭା ହୋଇଥିଲେ । ସେହୱାଗ ଓ ଗମ୍ଭୀରଙ୍କ ଅବସର ପରେ ରୋହିତ ପାଲଟି ଯାଇଥିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ଦଳରେ ସୁଯୋଗ ମିଳିଥିଲା ଏବଂ ଏହି ସୁଯୋଗର ସଦୁପଯୋଗ କରି ନିଜକୁ ପ୍ରମାଣିତ କରି ଦେଖାଇଥିଲେ ରୋହିତ । ଦିନିକିଆରେ ୩ଟି ଦ୍ୱିଶତକ ହାସଲ କରି ରୋହିତ ପାଲଟି ଯାଇଥିଲେ ଟିମ୍ ଇଣ୍ଡିଆର ନିୟମିତ ସଦସ୍ୟ । ଏବେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି ହିଟମ୍ୟାନ୍ ।