କନକ ବ୍ୟୁରୋ : ତୃତୀୟ ଟି-ଟ୍ୱେଂଟି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭୩ ରନରେ ହରାଇ ସିରିଜ କ୍ଲିନସ୍ୱିପ କରିଛି ଭାରତ । ରବିବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ରୋହିତ ଶର୍ମା ହ୍ୟାଟ୍ରିକ୍ ଟସ୍ ଜିତିଥିଲେ । କିନ୍ତୁ ଏଥର ନିଜର ପ୍ରଥମେ ବ୍ୟାଟିଂ ଦକ୍ଷତାକୁ ପରଖିବାକୁ ନ୍ୟୁଜିଲାଣ୍ଡ୍କୁ କ୍ଷେତ୍ରରକ୍ଷଣ ସୁଯୋଗ ଦେଇଥିଲେ । କେଏଲ୍ ରାହୁଲ ଏବଂ ଆର୍ ଅଶ୍ବିନଙ୍କୁ ବସାଇ ଦଳ ଈଶାନ କିଶନ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଇଥିଲା । ନ୍ୟୁଜିଲାଣ୍ଡ୍ ଅଧିନାୟକ ଟିମ୍ ସାଉଦି ଏକମାତ୍ର ପରିବର୍ତନ ଭାବେ ବାହାରେ ବସିବାରୁ ଲୋକି ଫର୍ଗୁସନ୍ ସୁଯୋଗ ପାଇଥିଲେ ।
ରୋହିତ ଶର୍ମା-ଈଶାନ କିଶନ ପ୍ରଥମ ୱିକେଟ୍ ପାଇଁ ୬.୨ ଓଭରରେ ୬୯ ରନ୍ ଉଠାଇବା ପରେ ମଧ୍ୟକ୍ରମରେ ଶ୍ରେୟସ ଆୟର, ଭେଙ୍କଟେଶ ଆୟର ଏବଂ ନିମ୍ନକ୍ରମରେ ହର୍ଷଲ୍ ପଟେଲ୍ ଓ ଦୀପକ ଚହର ବିସ୍ଫୋରକ ବ୍ୟାଟିଂ କରିବାରୁ ଭାରତ ୧୮୪ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା । ଶେଷ ଓଭର ବୋଲିଂ କରିଥିବା ଆଦାମ ମିଲନେଙ୍କଠାରୁ ୧୯ ରନ୍ ଆଦାୟ କରିଥିଲେ । ଭାରତ ପାୱାର ପ୍ଲେ’ ଭିତରେ ବିନା କ୍ଷତିରେ ୬୯ ରନ୍ ସଂଗ୍ରହ କରିବା ଘରୋଇ ମାଟିରେ ଦଳର ଚତୁର୍ଥ ସର୍ବୋଚ୍ଚ ଥିଲା। ହର୍ଷଲ୍ ପଟେଲ୍ ହିଟ୍ ୱିକେଟ୍ ହେବା ଅନ୍ୟତମ ଉଲ୍ଲେଖନୀୟ ବିଷୟ ଥିଲା। ଟ୍ବେଣ୍ଟି-୨୦ରେ ପୂର୍ବରୁ କେବଳ କେଏଲ୍ ରାହୁଲ୍ ହିଟ୍ ୱିକେଟ୍ (ବନାମ ଶ୍ରୀଲଙ୍କା, ୨୦୧୮) ହୋଇଥିଲେ। ରୋହିତ ଶର୍ମା ନିଜ ୩୦ତମ ଅର୍ଦ୍ଧଶତକ ହାସଲ କରି ବିରାଟ କୋହଲି (୨୯)ଙ୍କ କୀର୍ତ୍ତିମାନକୁ ପଛରେ ପକାଇଥିଲେ ।
ଜବାବରେ ପାୱାର ପ୍ଲେ ଭିତରେ ଅକ୍ଷର ପଟେଲ୍ ୩ ୱିକେଟ୍ ଦଖଲ କରିବା ନ୍ୟୁଜିଲାଣ୍ଡ୍କୁ ଅଡୁଆରେ ପକାଇଥିଲା । ମାର୍ଟିନ ଗପ୍ଟିଲ୍ ୩୬ ବଲ୍ରୁ ଅର୍ଦ୍ଧଶତକ ହାସଲ କରି ବିପଦ ସୃଷ୍ଟି କରିଥିଲେ ମଧ୍ୟ ଚହଲଙ୍କ ଶିକାର ହେବା ପରେ ଭାରତର ବିଜୟ ସୁଗମ ହୋଇଥିଲା । ଷଷ୍ଠ ବୋଲର ଭାବେ ବୋଲିଂ ସୁଯୋଗ ପାଇଥିବା ଭେଙ୍କଟେଶ ଆୟର ଆଦାମ ମିଲନେଙ୍କୁ ନିଜ ପ୍ରଥମ ଅନ୍ତର୍ଜାତୀୟ ଶିକାର କରିବାର ଗୌରବ ପାଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ୍ ଶେଷକୁ ୧୭.୨ ଓଭରରେ ମାତ୍ର ୧୧୧ ରନ୍ରେ ଆତ୍ମସମର୍ପଣ କରିଥିଲା ।