କନକ ବ୍ୟୁରୋ : ୟୁକ୍ରେନର ଦ୍ୱିତୀୟ ବୃହତମ ସହର ଖାରକିଭରେ ଋଷ ସେନାର ପ୍ରଚଣ୍ଡ ଆକ୍ରମଣ । ଖାରକିଭ୍ ଉପରେ ଋଷ ସେନା ପୂରା ଜୋର ଲଗାଇ ଦେଇଛି । ରାତି ସାରା ଆକ୍ରମଣ ପରେ ଆଜି ସକାଳଠାରୁ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହେଉଛି । ଗୋଟିଏ ପରେ ଗୋଟିଏ ସ୍ଥାନରେ ରକେଡ୍ ମାଡ ସହ ଘନ ଘନ ବୋମାମାଡ଼ କରାଯାଉଛି । ଖାରକିଭର ମିଲିଟାରୀ ଏକାଡେମୀରେ ରକେଡ୍ ମାଡ ହୋଇଛି । ପୋଲିସ ମୁଖ୍ୟାଳୟ ଉପରେ ମଧ୍ୟରେ ମିସାଇଲ ମାଡ କରାଯାଇଛି ।

Advertisment

ବିସ୍ଫୋରଣରେ ପୋଲିସ ଏକାଡେମୀ ଓ ପୋଲିସ ମୁଖ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଏହା ପୂର୍ବରୁ ମିଲିଟାରୀ ହସ୍ପିଟାଲରେ ମଧ୍ୟ ବୋମାମାଡ଼ କରାଯାଇଥିଲା । ପାରାଟ୍ରୁପର୍ସମାନେ ହସ୍ପିଟାଲକୁ ଟାର୍ଗେଟ୍ କରିଥିଲେ । ହସ୍ପିଟାଲ ଉପରେ ଅନ୍ଧାଧୁନ୍ ଗୁଳିମାଡ଼ କରିଥିଲେ । ଏବେ ବି ଖାରକିଭରେ ଜୋରଦାର ଆକ୍ରମଣ ଜାରି ରହିଛି । ଖାରକିଭରେ ଋଷର ଆକ୍ରମଣରେ ବର୍ତମାନ ସୁଦ୍ଧାର ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୧୨ ଜଣ ଆହତ ହୋଇଥିବା ଖାରକିଭ୍ ମେୟର ସୂଚନା ଦେଇଛନ୍ତି ।

ସେପଟେ ରାଜଧାନୀ କିଭରେ ଘନ ଘନ ବୋମାମାଡ଼ ହେଉଛି । ଅନେକ ଅଂଚଳ ଛାରଖାର ହୋଇଯାଇଛି । ସହରଠାରୁ ୧୯ ମାଇଲ୍ ଦୂରରେ ରହିଛି ଋଷର ବିଶାଳ ସେନାବାହିନୀ । ସେପଟେ ୟୁକ୍ରେନର ଖାରସୋନ୍ ସହରକୁ ନିଜ କବ୍ଜାକୁ ନେଇଥିବା ଦାବି କରିଛି ଋଷ ସେନା । ଖାରସୋନ ୟୁକ୍ରେନର ଦକ୍ଷିଣରେ ରହିଛି । ଏବେ ଏହି ସହରରେ ଏକାଧିକ ଋଷ ସେନା ପ୍ରବେଶ କରିଛନ୍ତି ।