ସୀମାରେ ମୁତୟନ ହେଲା ଅତ୍ୟାଧୁନିକ ରକେଟ ଲଂଚର: ୯୦ କିଲୋମିଟ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ରହିଛି କ୍ଷମତା

117

କନକ ବ୍ୟୁରୋ: ଫରୱାର୍ଡ ପୋଷ୍ଟରେ ଅଧିକ ସେନା ଓ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି ଭାରତୀୟ ସେନା । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସହ ଲାଗି ରହିଥିବା ବିବାଦ ଭିତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରାଯାଉଛି । ଅରୁଣାଚଳ ପ୍ରଦେଶ, ତାୱାଙ୍ଗ ସୀମା ପରେ ଏବେ ଲଦାଖରେ ମୁତୟନ କରାଯିବ ପିନାକା ମଲ୍ଟି ବାରାଲ ରକେଟ୍ ଲଂଚର ।

ସୀମାରେ ଚୀନକୁ ମାତ ଦେବ ଭାରତର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଡ୍ରାଗନ ସେନାକୁ କଡ୍ଡା ଜବାବ ଦେବ ସ୍ୱଦେଶୀ କୌଶଳରେ ପ୍ରସ୍ତୁତ ଅତ୍ୟାଧୁନିକ ରକେଟ୍ ଲଂଚରର ପରୀକ୍ଷଣ କରିଛନ୍ତି ଭାରତୀୟ ଯବାନ । ଏହି ଅତ୍ୟାଧୁନିକ ରକେଟ୍ ଲଂଚର ହେଉଛି ପିନାକା ମଲ୍ଟି ବ୍ୟାରେଲ ରକେଟ ଲଂଚର ଓ ସ୍ମର୍ଚ୍ଚ ମଲ୍ଟିପୁଲ ରକେଟ ଲଂଚର । ଆସାମ ସୀମାରେ ଏହାର ଡେମୋ ଟେଷ୍ଟ କରିଛି ସେନା । ତେବେ ଏହାକୁ ଲଦାଖର ଫରୱାର୍ଡ ପୋଷ୍ଟରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

ଏହି ଅତ୍ୟାଧୁନିକ ରକେଟ୍ ଲଂଚରକୁ ଡିଆରଡିଓ ଦ୍ୱାରା ନିର୍ମାଣ କରାଯାଇଛି । ଗତବର୍ଷ ଚାନ୍ଦିପୁରରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । ଆଉ ଚଳିତବର୍ଷ ଏହାକୁ ସୀମାରେ ମୁତୟନ କରାଯାଇଛି । ଏହି କ୍ଷେପଣାସ୍ତ୍ର ଗୁଡିକର ରହିଛି ସ୍ୱତନ୍ତ୍ର ବିଶେଷତ୍ୱ ।

– ଏହି କ୍ଷେପଣାସ୍ତ୍ର ୯୦ କିଲୋମିଟ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ
– ୪୦ ସେକେଣ୍ଡରେ ୧୨ଟି ରକେଟ ଲଂଚ କରିପାରିବ
– ପ୍ରତ୍ୟେକ ରକେଟ୍ର ଓଜନ ପ୍ରାୟ ୨୫୦ କେଜି
– ଲକ୍ଷ୍ୟ ସ୍ଥଳରେ ୨୦୦ମିଟର ପର୍ଯ୍ୟନ୍ତ ପ୍ରଭାବଶାଳୀ

ଲଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ, ପ୍ରକୃତ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଛି ଚୀନ ସେନା । ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଉଥିଲେ ବି ସୁଧୁରିନି ଚୀନ । ଫଳରେ ଡ୍ରାଗନ୍କୁ ଉଚିତ୍ ଜବାବ ଦେବା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସୀମାରେ ମୁତୟନ କରାଯାଉଛି ।