ରୋବଟ କରିବ ଅନ୍ତିମ ସଂସ୍କାର ! ଅନର୍ଗଳ ଗାଇବ ଶ୍ଲୋକ

83

କନକ ବ୍ୟୁରୋ : ହାତରେ ଦଣ୍ଡ ମୁହଁରୁ ଅନର୍ଗଳ ବାହାରୁଛି ଶ୍ଲୋକ । ଏଭଳି ଶ୍ଲୋକ କୌଣସି ପଣ୍ଡିତ ନୁହେଁ ବରଂ ଜଣେ ରୋବଟ ମୁହଁରୁ ଶୁଣିବାକୁ ମିଳିବ । ଏଣିକି ପଣ୍ଡିତଙ୍କ ସ୍ଥାନରେ ରୋବଟ କରିବ ଅନ୍ତିମ ସଂସ୍କାର । ପୂରା ପଣ୍ଡିତଙ୍କ ପରି ଶ୍ଲୋକ ପଢିବା ସହ ଅନ୍ତିମ ସଂସ୍କାରର ସମସ୍ତ ଦାୟିତ୍ୱ ତୁଲାଇବ ରୋବଟ । ଖାଲି ଶ୍ଳୋକ ନୁହେଁ ବାଜା ମଧ୍ୟ ବଜାଇବ ଏହି ରୋବଟ । ଜାପାନର ଏକ କମ୍ପାନି ଏଭଳି ଏକ ରୋବଟ ନିର୍ମାଣ କରିଛି । ଏହି ରୋବଟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ଜାପାନର ରୋବଟ ନିର୍ମାତା କମ୍ପାନି ନିଶିଇ କର୍ପୋରେସନ ଏମିତି ଏକ ରୋବଟ ନିର୍ମାଣ କରିଛି ଯିଏ ଅନ୍ତିମ ସଂସ୍କାର କାର୍ଯ୍ୟ କରିବାକୁ ସକ୍ଷମ । ଏହି ରୋବଟର ନାଁ ହେଉଛି ପିପର । ମଣିଷ ଭଳି ଏହି ରୋବଟକୁ ନିର୍ମାଣ କରାଯାଇଛି । ପିପର ବୌଦ୍ଧ ପଣ୍ଡିତଙ୍କ ଭଳି ଶ୍ଳୋକ ଉଚ୍ଚାରଣ କରିବା ସହ ଅନ୍ତିମ ସଂସ୍କାର କରିପାରିବ । ପିପର ରୋବଟକୁ ବୌଦ୍ଧ ପଣ୍ଡିତଙ୍କ ଭଳି କପଡା ପିନ୍ଧା ଯାଇ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ କରାଯାଇପାରିବ । କହିବାକୁ ଗଲେ ପିପର ରୋବଟ ବୌଦ୍ଧ ପଣ୍ଡିତଙ୍କ ସ୍ଥାନ ନେବାକୁ ସକ୍ଷମ ।

ଟୋକିଓର ‘ଲାଇଫ ଏଣ୍ଡିଙ୍ଗ ଇଣ୍ଡଷ୍ଟ୍ରୀ ଏକ୍ସପୋ’ରେ ଏହି ରୋବଟର ପଦର୍ଶନ କରଥିଲା କମ୍ପାନି । ଏହି ରୋବଟ ତିଆରି କରିବା ପଛର କାରଣ ମଧ୍ୟ ବେଶ୍ ଆଶ୍ଚର୍ଯ୍ୟଜନକ । ଜାପାନର ଜନସଂଖ୍ୟାର ଅଧିକାଂଶ ଲୋକ ଏବେ ପରିଣତ ବୟସରେ ଉପନୀତ । ସେହି ଅନୁପାତରେ ଜନସଂଖ୍ୟାର ମଧ୍ୟ ବୃଦ୍ଧି ହେଉନାହିଁ । ଏପରିକି ଜାପାନରେ କାମ କରିବାକୁ ଲୋକ ନିଅଣ୍ଟ ପଡୁଛି । ତେଣୁ ଜପାନର ଅଧିକାଂଶ କାରାଖାନା, ହୋଟେଲ ଓ ହସ୍ପିଟାଲରେ କାମ କରିବାକୁ ଅଧିକ ସଂଖ୍ୟାରେ ରୋବଟ ନିଯୋଜିତ କରାଯାଇଛି ।

ଜନସଂଖ୍ୟା କମିବା ସହ ଅନ୍ତିମ ସଂସ୍କାର କରୁଥିବା ବୌଦ୍ଧ ପଣ୍ଡିତଙ୍କ ସଂଖ୍ୟା ମଧ୍ୟ କମିଛି । ତେବେ ଏହି ବୃତ୍ତିରେ ଅଧିକ ରୋଜଗାର ହେଉ ନଥିବାରୁ ଯୁବଗୋଷ୍ଠୀ ଏ କ୍ଷେତ୍ରରୁ ମୁହଁ ବୁଲାଇ ନେଇଛନ୍ତି । ନିଶିଇ କମ୍ପାନିର ଏକ ଅଧିକାରୀଙ୍କ କହିବା ଅନୁଯାୟୀ, ବୌଦ୍ଧ ପଣ୍ଡିତ ମାନେ ମନ୍ଦିରରେ ପୂଜା କରିବା ସହିତ ପେଟ ପୋଷିବା ପାଇଁ ପାର୍ଟ ଟାଇମ ଚାକିରୀ କରିଥାନ୍ତି । ତେଣୁ ଏହି ବୃତ୍ତିକୁ ଆଉ କେହି ଆପଣାଇବାକୁ ଚାହୁଁନାହାନ୍ତି । ଦିନକୁ ଦିନ ଜାପାନରେ ଏହି ବୌଦ୍ଧ ପଣ୍ଡିତଙ୍କ ସଂଖ୍ୟା କମି କମି ଚାଲିଛି ।

ତେଣୁ କମ୍ପାନି ପିପର ରୋବଟ ମାଧ୍ୟମରେ ବୌଦ୍ଧ ପଣ୍ଡିତଙ୍କ ଅଭାବ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ଏହି ପେପର ରୋବଟ ସାଧାରଣ ବୌଦ୍ଧ ପଣ୍ଡିତଙ୍କ ଠାରୁ ଶସ୍ତାରେ ଉପଲବ୍ଧ ହୋଇପାରିବ । ଏବେ ଜାପାନରେ ଅନ୍ତିମ ସଂସ୍କାର କରିବା ପାଇଁ ବୌଦ୍ଧ ପଣ୍ଡିତ ମାନେ ୨୨ ଶହ ଡଲାରରୁ ଅଧିକ ନେଇଥାନ୍ତି । ତେବେ ମାତ୍ର ୪୫୦ ଡଲାରରେ ପିପର ରୋବଟ ଏହି କାମ କରିପାରିବ ବୋଲି କମ୍ପାନି ତରଫରୁ କୁହାଯାଇଛି ।

ସୌଜନ୍ୟ: ଦୈନିକ ଜାଗରଣ