କନକ ବ୍ୟୁରୋ: ବ୍ୟାଙ୍କ ଭିତରେ ଛକି ରହୁଛନ୍ତି ଲୁଟେରା । ବ୍ୟାଙ୍କ ଆସୁଥିବା ଗ୍ରାହକଙ୍କୁ କରୁଛନ୍ତି ଟାର୍ଗେଟ । ଆଉ ସମୟ ସୁବିଧା ଦେଖି କରୁଛନ୍ତି ଲୁଟ୍ । ଦିନଦ୍ୱିପହରରେ ମହିଳାଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟାଗରେ ଥିବା ୧୫ ହଜାର ଟଙ୍କା, ବ୍ୟାଙ୍କ ପାସବୁକ, ଆଧାରକାର୍ଡ, ମୋବାଇଲ ଫୋନ ଓ ବିଭିନ୍ନ ଦରକାରୀ କାଗଜପତ୍ର ନେଇଯାଛନ୍ତି ଦର୍ବୃତ୍ତ ।
ଗତକାଲି ଗଞ୍ଜାମ ଖଲ୍ଲିକୋଟ ଥାନା କେଶପୁର ଷ୍ଟେଟ ବ୍ୟାଙ୍କ ଶାଖାକୁ ସୁନା ଋଣ ଟଙ୍କା ପୈଠ କରିବାକୁ ମୋହନପୁର ଗାଁର ପୁଷ୍ପା ପଲେଇ ଆସିଥିଲେ । କିନ୍ତୁ ବ୍ୟାଙ୍କ କର୍ତୃପକ୍ଷ ଟଙ୍କା ଜମା ନକରି ସାରଦା କିଓସ୍କୋରେ ଜମା କରିବାକୁ କହିଥିଲେ । ସାରଦା କିଓସ୍କକୁ ଟଙ୍କା ଜମା କରିବା ପାଇଁ ମହିଳା ଜଣଙ୍କ ଚାଲି ଚାଲି ଯିବାବେଳେ ବ୍ୟାଙ୍କ ଭିତରେ ବସିଥିବା ଲୁଟେରା ଏକ ଆପାଚି ବାଇକରେ ଆସି ଟଙ୍କା ବ୍ୟଗକୁ ଝାମ୍ପି ନେଇଥିଲେ । ଯାହା ସିସିଟିଭିରେ କଏଦ ହୋଇଛି ।
ବ୍ୟାଗଟି ଝାମ୍ପି ନେବା ଫଳରେ ମହିଳା ଜଣଙ୍କ ରୋଡ୍ ଉପରେ ପଡିଯାଇଥିଲେ । ଆଉ ଦୁର୍ବୃତ ମହିଳାଙ୍କ ବ୍ୟାଗ ଲୁଟିନେଇ ସେଠାରୁ ଚମ୍ପଟ ହୋଇଥିଲେ । ତେବେ ଏନେଇ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
Follow Us