କନକ ବ୍ୟୁରୋ: ବିବାହ ଉତ୍ସବକୁ ଅତିଥି ହୋଇ ଆସି, ଲୁଟିନେଲେ ୧୦ଲକ୍ଷ ଟଙ୍କାର ଉପହାର । ପୁରୀ ବଳିଆ ପଣ୍ଡା ଥାନା ଅଞ୍ଚଳର ଏକ ହୋଟେଲରେ ବିବାହ ଭୋଜି ଚାଲିଥିବା ବେଳେ ଅତିଥି ବେଶରେ ଲୁଟେରା ଆସି ଉପହାର ଆକାରରେ ମିଳିଥିବା ସୁନା ଅଳଙ୍କାର ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଆଉ ଉପହାର ନେଇ ଫେରାର ହେଉଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୁଆରସାହିର ପ୍ରମୋଦ ମିଶ୍ରଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କ ବିବାହ ଭୋଜିରୁ ଏପରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ଲୁଟେରା ଅତିଥି ଭାବେ ଉତ୍ସବରେ ସାମିଲ ହୋଇ ଦେଢ଼ ଘଂଟାରୁ ଅଧିକ ସମୟ ଧରି ଏଠାରେ ରହି ଦାମୀ ଉପହାର କେଉଁଠି ରହୁଛି ସବୁ ନଜର କରିଥିଲା । ଏହାପରେ ଷ୍ଟେଜରେ ନବବିବାହିତ ଦମ୍ପତ୍ତିି ଅନ୍ୟ ଅତିଥିଙ୍କ ସହ ଫଟୋ ଉଠାଉଥିବା ବେଳେ ଦାମୀ ଉପହାର ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲା । ରାତି ପ୍ରାୟ ୧୧ଟା ୩୭ ମିନିଟରେ ଲୁଟେରା ବ୍ୟାଗ ନେଇ ଗେଟରୁ ବାହାରି ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୁଲିସ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।