ରସୁଣ ଚୋର । ପିଆଜ ପରେ ରସୁଣ ଲୁଟ୍, ପିକଅପ୍ ଭ୍ୟାନ୍ ଅଟକାଇ ୧୯୨୦ କିଲୋଗ୍ରାମ ରସୁଣ ଲୁଟିନେଲେ ଲୁଟେରା ।

201

କନକ ବ୍ୟୁରୋ : ବିଭିନ୍ନ ସମୟରେ ଚୋରି ହେବାର ଅନେକ ଖବର ଆପଣ ଶୁଣିଥିବେ । କେତେବେଳେ ଏଟିଏମ୍ ଭାଙ୍ଗି ଲୁଟ୍ କରାଯାଉଛି ତ ଆଉ କେତେବେଳେ ଘରେ ପଶି ଚୋରି ହେଉଛି । ଟଙ୍କା, ସୁନା ଗହଣା ଏବଂ ଜିନିଷ ପତ୍ର ଚୋରି ହେବାର ଆପଣ ଶୁଣିଥିବେ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି କେଉଁଠି ପିଆଜ ରସୁଣ ଚୋରି ହୋଇଛି । ପିଆଜ ଏବଂ ରସୁଣର ମାତ୍ରାଧିକ ଦର ବୃଦ୍ଧି ପରେ ଏବେ ଏମିତି ହିଁ କିଛି ଘଟଣା ସାମ୍ନାକୁ ଆସିଛି ।

ଲୁଟେରାଙ୍କ ଟାର୍ଗେଟରେ ପିଆଜ ରସୁଣ । ବିହାରର କେମୁର ଜିଲ୍ଲା କୁଦରା ଥାନା ଅଂଚଳରେ ଲୁଟେରାମାନେ ଏକ ଗାଡିରୁ ୬୪ ବସ୍ତା ଅର୍ଥାତ ପାଖାପାଖି ୧୯୨୦ କିଲୋଗ୍ରାମ ରସୁଣ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅଶୋକ କୁମାର ସିଂହ ନାମକ ଜଣେ ବ୍ୟକ୍ତି ନିଜ ପିକଅପ୍ ଭ୍ୟାନରେ ବନାରସରୁ ୬୪ ବସ୍ତା ରସୁଣ ଆଣି ସାସାରାମ ମଣ୍ଡିରେ ପହଞ୍ଚାଇବା ପାଇଁ ନେଉଥିଲେ । କିନ୍ତୁ ଶୁକ୍ରବାର ରାତି ପାଖାପାଖି ୧୧ଟା ସମୟରେ ଗୋଟିଏ କାରରେ ୩ ଜଣ ଦୃବୁର୍ତ୍ତ ଉକ୍ତ ପିକଅପ୍ ଭ୍ୟାନ ପାଖରେ ପହଞ୍ଚିଥିଲେ । ଏବଂ ସମସ୍ତ ରସୁଣ ବସ୍ତାକୁ ଲୁଟି ନେଇଥିଲେ ।

ଲୁଟେରାମାନେ ଅଶୋକଙ୍କୁ ନିଜ ଗାଡିରେ ବସାଇ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସହରର ଗଳିକନ୍ଦି ଚାରିଆଡେ ବୁଲାଇଥିଲେ ଏବଂ ସେହି ସ୍ଥାନରେ ହିଁ ତାଙ୍କୁ ଛାଡିଥିଲେ । ଲୁଟେରାମାନେ ଅଶୋକଙ୍କ ଠାରୁ ତାଙ୍କ ମୋବାଇଲ୍ ଫୋନ୍ ସମେତ ୧୦ ହଜାର ଟଙ୍କା ଲୁଟିନେବା ସହ ୬୪ ବସ୍ତା ରସୁଣ ମଧ୍ୟ ଚୋରାଇ ନେଇଥିଲେ । ଭ୍ୟାନରେ କେବଳ ଗୋଟିଏ ରସୁଣ ବସ୍ତା ଥିଲା ଯେଉଁଥିରେ ୩୦ କିଲୋଗ୍ରାମ୍ ରସୁଣ ଥିଲା । ତେବେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଛି ।