କନକ ବ୍ୟୁରୋ: ରାଜଧାନୀରେ ଡର ଲାଗୁଛି । ପୁଲିସର ପାଟ୍ରୋଲିଂ ସତ୍ତ୍ୱେ ଚୋରମାନେ ବେଧଡକ ରାତି ଅଧରେ ଝରକା ତାଡି ଲୁଟ କରୁଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସିସିଟିଭିରେ କଏଦ ହୋଇଛି । ଚୋରି କରିବା ପରେ ଲୁଟେରାମାନେ ଆରାମରେ ସ୍କୁଟିରେ ବସି ଯାଉଛନ୍ତି । ଏହି ଲୁଟେରାମାନେ ଏକ ନବଦମ୍ପତିଙ୍କ ଘରେ ପଶି ଲକର ଓ ଆଲମାରି ତାଡି ବନ୍ଦାଣ ସୁନା ସହ ସୁନାଗହଣା , ମଙ୍ଗଳସୁତ୍ର ଓ ଟଙ୍କା ଲୁଟ କରିଛନ୍ତି ।

Advertisment
  • ରାତି-ପ୍ରାୟ ୨ଟାରୁ ୨ଟା ୧୫
  • ତାରିଖ-୨୪ ତାରିଖ
  • ସ୍ଥାନ-କିଶନ ନଗର , ଭୁବନେଶ୍ୱର

ଚୋରି କରିବା ପରେ ଆରାମରେ ଆଉ ବିନା ଭୟରେ ଯାଉଛନ୍ତି ଲୁଟେରା । ବିଳମ୍ବିତ ରାତିରେ ଚୋରି କରି ଫେରାର ହୋଇଯାଉଥିବା ବେଳେ ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତଙ୍କ ଭିଡିଓ । ଅଧ ରାତିରେ ବାହାରେ କେହି ନଥିବାର ସୁଯୋଗ ନେଇ ସମସ୍ତେ ଶୋଇଥିବାବେଳେ ବାଲକୋନୀ ରାସ୍ତା ଦେଇ ଚୋରମାନେ ଘର ଭିତରେ ପଶି କଳାକନା ବୁଲାଇଛନ୍ତି । ଆଉ ଚୋରୀ ହୋଇଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ କିଶନ ନଗର ଅଞ୍ଚଳର ଗୌତମ ମଲ୍ଲଙ୍କ ଘରୁ ବନ୍ଦାଣ ସୁନା ସହ ଗହଣା ଓ ଟଙ୍କା ।

ଗୌତମ ମଲ୍ଲ ଓ ଲି୍ପ୍ସାଙ୍କ ବାହାଘର ଡିସେମ୍ବରରେ ହୋଇଥିଲା । ସବୁଦିନ ଭଳି ସେମାନେ ଶୋଇ ସକାଳେ ଉଠିଥିବାବେଳେ ଲକର ଓ ଆଲମିରା ଖୋଲା ଥିଲା । ଏହାଦେଖି ଲି୍ପ୍ସାଙ୍କ ସନ୍ଦେହ ଉପୁଜିଥିଲା । ମୁଖ୍ୟ ଦ୍ୱାରା ଖୋଲାଥିଲା । ପରିବାର ଲୋକେ ଦେଖିଲା ବେଳକୁ ମିଳିନଥିଲା ସୁନାଗହଣା ଓ ଟଙ୍କା । ଚୋରମାନେ ଝରକା ଦେଇ ଘରେ ପଶିଥିବା ଅନୁମାନ କରାଯାଉଛି । ମଙ୍ଗଳସୁତ୍ର ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟ୍ କରିଛନ୍ତି । ତେବେ ଥାନାରେ ଅଭିଯୋଗ ସତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରିଛନ୍ତି ପରିବାର ।ରାତିରେ ଲୋକଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ଦିନରାତି ପାଟ୍ରୋଲିଂ କରୁଛି ପୁଲିସ । ତା ସତ୍ତ୍ୱେ ଚୋରମାନେ କିଭଳି ଚୋରିକଲେ ସେ ନେଇ ପ୍ରଶ୍ନ ଉଠୁଛି ।