ଢେଙ୍କାନାଳ ସହରରେ ମାତିଛନ୍ତି ଲୁଟେରା: ନିଶା ଦେଇ ଲୁଟିନେଲେ ୫ କେଜି ଶୁଖୁଆ ଓ ୨୫ ଶହ ଟଙ୍କା

134

କନକ ବ୍ୟୁରୋ: ଢେଙ୍କାନାଳ ସହରରେ ମାତିଛନ୍ତି ଲୁଟେରା । ମୃଦୁ ପାନୀୟରେ ନିଶା ଦେଇ ଦୋକାନୀଙ୍କୁ ଲୁଟ କରାଯାଉଛି । ଗତ ୬ ଦିନରେ ୪ ଜଣ ଖୁଦ୍ର ବ୍ୟବସାୟୀଙ୍କୁ ହେଲାଣି ଲୁଟ । ଆଜି ରଥଗଡା ପରିବା ବଜାରରେ ଜଣେ ଶୁଖୁଆ ଦୋକାନୀଙ୍କୁ ନିଶା ଦେଇ ୨୫୦୦ ଟଙ୍କା ଓ ୫ କେଜି ଶୁଖୁଆ ନେଇ ପଳେଇଛନ୍ତି ଚୋର । ଜଣେ ଯୁବକ ଏକ ଦଶ ଟଙ୍କିଆ ପ୍ଲାଷ୍ଟିକ ପାନୀୟରେ ନିଶା ମିଶାଇ ଶୁଖୁଆ ଦୋକାନୀକୁ ପିଇବାକୁ ଦେଲା, ଦୋକାନୀ ଥଣ୍ଡା ପିଇବାର ଦୁଇ ମିନଟ ଭିତରେ ଚେତା ଶୂନ୍ୟ ହୋଇଯିବାରୁ ଟଙ୍କା ଓ ଶୁଖୁଆ ନେଇ ଚୋର ଫେରାର ହେଇଗଲା । ଏଇ ରଥଗଡା ବାଜାରରେ ୬ ଦିନ ଭିତରେ ୨ ଜଣ ପରିବା ଦୋକାନୀ, ଜଣେ ପୂଜା ସାମଗ୍ରୀ ଦୋକାନୀଙ୍କୁ ଏକା ଢଙ୍ଗରେ ଲୁଟ କରାଗଲାଣି । ପୋଲିସରେ ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ବି ପୋଲିସ ସେ ଚାଲାକ ଚୋରକୁ ଧରିବାରେ ବିଫଳ ଯୋଗୁଁ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି ।