କନକ ବ୍ୟୁରା: ଲୁଟ ପାଇଁ ଲୁଟେରା ଭିନ୍ନ ଭିନ୍ନ ଉପାୟ ଆପଣାଉଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳାଙ୍କ ଲୁଟ କିନ୍ତୁ ସବୁଠୁ ଅଲଗା । ଲୁଟ କରିବାକୁ ଯୁବତୀ ଜଣକୁ ଯେଉଁ ଉପାୟ କରିଥିଲେ ତାହା ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ ।

Advertisment

ଯୁବତୀ ଲୁଟ ପାଇଁ କରୁଥିଲେ ବିବାହ । ବିବାହ କରିବା ପରେ ଟଙ୍କା ଓ ସୁନାଗହଣା ଧରି ଫେରାର ହୋଇଯାଉଥିଲେ । ସେ ଗତ ୨ ବର୍ଷ ମଧ୍ୟରେ ୭ ଥର ବିବାହ କରି ବର ମାନଙ୍କ ଘରେ କଳାକନା ବୁଲାଇସାରିଛନ୍ତି । ଆଗକୁ ଆହୁରି ଅନେକ ପୁଅଙ୍କୁ ଟାର୍ଗଟ୍ କରିବା ପୂର୍ବରୁ ପୋଲିସ ହାତରେ ଧରାପଡିଯାଇଛନ୍ତି।

ପୋଲିସର ସୂଚନା ମୁତାବକ, ଏହି ଲୁଟ୍ ପଛରେ କେବଳ ସେ ନୁହଁନ୍ତି ତାଙ୍କର ପୁରା ଗ୍ୟାଙ୍ଗ୍ ସାମିଲ ଥିଲା । ଗ୍ୟାଙ୍ଗର କିଏ ଝିଅର ମାମୁଁ ତ କିଏ ମଉସା ପୁଣି କିଏ ବାପା ବୋଲି ପରିଚୟ ଦେଉଥିଲା । ଏଥିରେ ସାମିଲ ଥିବା ମହିଳା ମଧ୍ୟ ଝିଅର ପିଉସୀ, ମାଉସୀ ବୋଲି ପରିଚୟ ଦେଇ ବିବାହ କରାଉଥିଲେ । ମଧ୍ୟପ୍ରଦେଶ ଜବଲପୁରର ଏହି ଲୁଟେରା ବୋହୁ ହେଉଛନ୍ତି ଉର୍ମିଲା ଅହରିୱାରର , ବୟସ ୨୮ ବର୍ଷ । ପାଠ ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପଢିଛନ୍ତି । ସେ ବୟସ୍କ ପୁରୁଷଙ୍କୁ ଟାର୍ଗେଟ କରୁଥିଲେ । ସେ ୨ ବର୍ଷରେ ରାଜସ୍ଥାନର ୪ଜଣ ଏବଂ ମଧ୍ୟପ୍ରଦେଶର ୩ ଜଣଙ୍କୁ ବିବାହ କରିଛନ୍ତି । ବିବାହ ପରେ ସୁଯୋଗ ଦେଖି ଅଳଙ୍କାର ଏବଂ ଟଙ୍କା ଧରି ଗାଏବ ହୋଇଯାଉଥିଲେ ।

ଜବଲପୁର ଧନ୍ୱନ୍ତରୀ ନଗର ସ୍ଥିତ ସାଇ କଲୋନୀରୁ ୮ ବର୍ଷ ତଳେ ଏହି ଲୁଟର କାହାଣୀ ଆରମ୍ଭ ହୋଇଥିଲା । ଉର୍ମିଲା ୨୦ ବର୍ଷ ବୟସରେ ପ୍ରଥମେ ଅଜୟ ଅହିରୱାରଙ୍କୁ ବିବାହ କରିଥିଲେ । ହେଲେ ଅଜୟଙ୍କର ହଠାତ ମୃତ୍ୟୁ ହୋଇଯାଇଥିଲା । ସେ ବାପାଙ୍କ ଘରେ ଆସି ରହିବାକୁ ଲାଗିଲେ । ହେଲେ ବାପା, ମା’ ଉଭୟ ଦିନ ମଜୁରିଆ ଥିବାରୁ ତାଙ୍କୁ ପାଳିବା ସମ୍ଭବ ନଥିଲା । ଉର୍ମିଲା ସିଲେଇ କରି ନିଜ ପେଟ ପୋଷୁଥିଲେ । ଏକ ମେଳାରେ ସେ ଭାଗଚନ୍ଦ କୋରିଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଭାଗଚନ୍ଦ ରାଜସ୍ଥାନ ଗଙ୍ଗାନଗରର ବାସିନ୍ଦା ଥିଲେ । ଏହାପରେ ଉର୍ମିଳାଙ୍କ ପଡିଶା ଘରେ ଅର୍ଚ୍ଚନା ବର୍ମନ ରହୁଥିଲେ, ଯିଏ ଉର୍ମିଳାଙ୍କୁ ଶ୍ୟାମଙ୍କ ସହ ଭେଟ କରାଇଥିଲେ । ଏମାନଙ୍କୁ ସମସ୍ତଙ୍କୁ ଟଙ୍କାର ଅବଶ୍ୟକତା ଥିଲା । ଏବଂ ଏହି ସମୟରେ ଏମାନଙ୍କ ମୁଣ୍ଡକୁ ଜୁଟିଥିଲା ଅଲଗା ପ୍ରକାରର ଲୁଟ ଯୋଜନା । ଯେଉଁଥିରେ ମୁଖ୍ୟ ଭୂମିକା କରୁଥିଲେ ଉର୍ମିଳା ।ଏହାପରେ ଗ୍ୟାଙ୍ଗକୁ ଏଣ୍ଟ୍ରି କରିଥିଲା ଅମର ପଟେଲ ନାମକ ବ୍ୟକ୍ତି । ସେମାନେ ଲୁଟେରା ଗ୍ୟାଙ୍ଗ ବନାଇ ଥିଲେ । ଅମର ଓ ଶ୍ୟାମ ଦଲାଲ ଭାବେ କାମ କରୁଥିଲେ । ଉଭୟେ ବିବାହ ହୋଇନଥିବା ବୟସ୍କ ପୁରୁଷଙ୍କୁ ଖୋଜୁଥିଲେ । ଏହି ଗ୍ୟାଙ୍ଗ ୩୫ ବର୍ଷୀୟ ବିଜୟଙ୍କୁ ପ୍ରଥମେ ଟାର୍ଗେଟ କରିଥିଲେ ।

ସବୁ ବିବାହ ମାତ୍ର ୪ରୁ ୫ ମାସ ଯାଏଁ ତିଷ୍ଠିପାରୁଥିଲା । ପରେ ସୁଯୋଗ ଦେଖି ଉର୍ମିଳା ନିଜ ଘରକୁ ପଳାଇଆସୁଥିଲେ । ଏହି ଷ୍ଟାଇଲରେ ଉର୍ମିଳା ଓ ତାଙ୍କ ଗ୍ୟାଙ୍ଗ ଜଣକ ପରେ ଜଣଙ୍କୁ ଲୁଟିଚାଲିଥିଲେ । ତାଙ୍କର ସପ୍ତମ ଟାର୍ଗେଟ ପାଲଟିଥିଲେ ଭୀମଗଡର ଦଶରଥ ପଟେଲ । ହେଲେ ଉଭୟଙ୍କ ବିବାହ ହେବା ପୂର୍ବରୁ ହିଁ ଉମିଳା ଟଙ୍କା ଓ ଗହଣା ନେଇ ପଳାଇଥିଲା । ତେବେ ତାଙ୍କ ପଡୋଶୀ ଅର୍ଚ୍ଚନା ବର୍ମନ ପୋଲିସ ହାତରେ ଧରାପଡିଯାଇଥିଲେ । ସେ ହିଁ ପୁରା ଲୁଟେରା ଗ୍ୟାଙ୍ଗର ଖୁଲାସା କରିଥିଲେ ।

ଏହାର ୪ ଲୁଟେରା ଯିଏ ବୋହୁ ବେଶ ସାଜୁଥିଲେ ଉର୍ମିଳା ଓରଫ ରେଣୁ ରାଜପୁତ, ଅମର ସିଂହ ଠାକୁର ଓ ଭାଗଚନ୍ଦ୍ କୋରୀଙ୍କୁ ପୋଲିସ ଗିରଫ କରି ପଚରାଉଚୁରା ଜାରି ରଖିବା ସହ ଅନ୍ୟ ଲୁଟେରାଙ୍କୁ ଖୋଜୁଛି ।